ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟର ତଥ୍ୟରୁ ଜଣାଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ୍ ବାଲେଶ୍ୱର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କସଂଖ୍ୟା ୧୪୩ରେ ପହଞ୍ଚି ଯାଇଛି। ତେବେ ଚିହ୍ନଟ ହୋଇଥିବା ନୂଆ ପଜିଟିଭ୍ ବାଲେଶ୍ୱର ଜିଲ୍ଲାର କେଉଁ ଅଞ୍ଚଳର ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ।
ରାଜ୍ୟରେ ଗୋଟିଏ ମାସ ଭିତରେ କରୋନା ଚିତ୍ର ବଦଳି ଯାଇଛି। ମାର୍ଚ ମାସ ୩୦ତାରିଖ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏପ୍ରିଲ ମାସ ଶେଷ ବେଳକୁ ଏହି ସଂଖ୍ୟା ୧୪୩ରେ ପହଞ୍ଚି ଯାଇଛି। ଗୋଟିଏ ମାସରେ ୧୪୦ଜଣ ଚିହ୍ନଟ ହୋଇଛନ୍ତି।
ବିଶେଷକରି ଗତ କିଛିଦିନ ହେବ କୋଲକାତାରୁ ଫେରିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଚିହ୍ନଟ କରାଯାଉଛି। ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ନମୁନା ପରୀକ୍ଷା ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି।
ଗତମାସ ୩୦ତାରିଖ ବେଳକୁ ରାଜ୍ୟରେ ୩୭୦ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜିର ଦିନରେ ଏହା ବୃଦ୍ଧି ପାଇ ୩୪୧୩୩ରେ ପହଞ୍ଚିଛି। ସେ ସମୟରେ ରାଜ୍ୟର ଗୋଟିଏ ସ୍ଥାନରେ କୋଭିଡ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ରାଜ୍ୟରେ ଏବେ ୮ଟି ସ୍ଥାନରେ ପରୀକ୍ଷା କରାଯାଉଛି।