ବୁଗୁଡା: ତା ୦୩/୦୯/୨୪ : ବୁଗୁଡ଼ାରେ ଉଦ୍ୟାନକୃଷି ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ନାହିଁ । ବହୁ ବର୍ଷ ହେଲା ଏଠି ଜଣେ ଓଭରସିଅର ,ଜଣେ ସହକାରୀ ଉଦ୍ଯାନ କୃଷି ଅଧିକାରୀ (ଏଏଚଓ) , ଜଣେ ଉଦ୍ଯାନ କୃଷି ସମ୍ପ୍ରସାରଣ କର୍ମଚାରୀ (ଏଚଇଡବ୍ଲୁ) ଓ ଦୁଇ ଜଣ ଉଦ୍ୟାନ ସାଥି କାମ କରୁଛନ୍ତି । ତେବେ ଏଠାରେ କାର୍ଯ୍ୟାଳୟ ନ ଥିବାରୁ ଓଭରସିଅରଙ୍କ ଭଡ଼ା ଘରେ ଚାଲୁଛି କାଗଜ ପତ୍ର ଚାଷ । ଯାହା ଫଳରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବା ପାଇଁ ଚାଷୀ କେଉଁଠିକି ଯିବେ ତାହା ଜାଣି ପାରୁ ନଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଅଧିକାଂଶ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି l ତେଣୁ, ଚାଷୀଙ୍କ ଜମି ଥିଲେ ହେଁ ସରକାରୀ ଯୋଜନା ଅପହଞ୍ଚ ହେତୁ ଜମି ପଡିଆ ପଡି ରହୁଛି l ଏଥି ପାଇଁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଲେମ୍ବୁ, କାଜୁ, ନଡ଼ିଆ, ଆମ୍ବ ଓ ଅମୃତଭଣ୍ଡା ଆଦି ନିଜ ବାଡ଼ିରେ ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳୁଥିବା ବେଳେ ବୁଗୁଡ଼ାରେ ଏହି ଯୋଜନା ଫେଲ୍ ମାରିଛି। ସବୁଠାରୁ ବଡ଼ କଥା ହେଉଛି ଯେ, ଉଦ୍ୟାନ ବିଭାଗର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ସରକାରୀ ସ୍ତରରେ ଜାଗା ଚିହ୍ନଟ ହୋଇ ସାରିଥିଲେ ହେଁ ଅନୁଦାନ ମିଳୁ ନ ଥିବାରୁ ନିର୍ମାଣ କାମ ଆରମ୍ଭ ହୋଇପାରୁନି । ଏଥି ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
