ବୁଗୁଡା : ବୁଗୁଡା ବ୍ଲକର ଭାମଶ୍ୟାଳି ଗ୍ରାମର ଛାତ୍ର କୋଲାବ ଡ୍ୟାମରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ମୃତକଙ୍କ ପରିବାରକୁ ପୋଲସରା ବିଧାୟକ ସହାୟତାର ହାତ ବଢ଼ାଇ ଥିବା ଜଣା ପଡ଼ିଛି। ଘଟଣାରୁ ଜଣାପଡିଛିଯେ ଭାମଶ୍ୟାଳି ଗ୍ରାମର ଏକ ଗରିବ ପରିବାରର ଛାତ୍ର ମନ୍ମଥ କୁମାର ସାସମଲ କୋରାପୁଟରେ ନିଜ ମାମୁଁଙ୍କ ଘରେ ରହି +୩ ବିଜ୍ଞାନରେ ପାଠ ପଢୁ ଥିଲେ। ଜଣେ ସାଙ୍ଗଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ସାଙ୍ଗ ମାନଙ୍କ ସହ ମନ୍ମଥ କୋଲାବ ଡ୍ୟାମକୁ ଯାଇଥିଲେ।ସେଠାରେ ଦୁଇଜଣ ଛାତ୍ର ଡ୍ୟାମରେ ବୁଡି ଯାଉଥିବା ଦେଖି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ସେ ମଧ୍ୟ ଡ୍ୟାମକୁ ଖସି ପଡ଼ିଥିଲେ। ଡ୍ୟାମରେ ବୁଡି ମନ୍ମଥଙ୍କ ସହ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।
ଏହି ଖବର ଶୁଣିବା ପରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ରବିବାର ଦିନ ଭାମଶ୍ୟାଳି ଗ୍ରାମରେ ପହଁଞ୍ଚି ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥି ସହ ପରିବାରକୁ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହ ସୁନୀଲ କୁମାର ପାଢ଼ୀ, କୈଳାଶ ଚନ୍ଦ୍ର ରଥ, ଓ ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।