ବୁଗୁଡ଼ା : ତା ୦୬/୧୦/୨୩ : ସଂପ୍ରତି ସମାଜରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିହତ କରିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନରେ ଏକ ସଚେତନତା ରଥ ବୁଗୁଡ଼ାରେ ପହଞ୍ଚିଥିବା ବେଳେ ତାହାକୁ ସ୍ବାଗତ କରାଯାଇଥିଲା । ଏଥି ସହ ପିପୁଲ୍ସ ହାଇସ୍କୁଲ ପରିସରରେ ଏକ ସାଇବର ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି , ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା , ଏସଡିପିଓ ବିଶ୍ବମିତ୍ର ହରପାଲ, ବୁଗୁଡ଼ା ଆଇଆଇସି ଶର୍ମିଷ୍ଠା ପ୍ରଧାନ , ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର , ବଳଦେବଜୀୟୁ ମହିଳା ମହାବିଦ୍ୟାଳୟ ଡେମୋନଷ୍ଟେଟର୍ କଳ୍ପନା କୁମାରୀ ପଣ୍ଡା ଓ ପିଇଟି ସତ୍ଯଶ୍ରୀ ଜେନା, ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ କରିଥିଲେ । ଏ ଅବସରରେ ଇଣ୍ଟରନେଟ-ସୁରକ୍ଷା ଅଭ୍ଯାସ , ଇଣ୍ଟରନେଟ ବ୍ଯବହାରର ନୈତିକ ନିୟମ , ସୋସିଆଲ ମିଡିଆ ବ୍ଯବହାର କ୍ଷେତ୍ରରେ ସତର୍କତା , ଗେମିଙ୍ଗ୍ ଆପ୍ଲିକେସନ ଇଂଷ୍ଟଲ୍ ନ କରିବା , ଆର୍ଥିକ କାରବାର ଜନିତ ସୁରକ୍ଷା , ପର୍ନୋଗ୍ରାଫିଠାରୁ ଦୂରେଇ ରହିବା , ସାଇବର ଅପରାଧ ସହାୟତା ନଂ ୧୯୩୦ ଆଦି ସମ୍ପର୍କେ ସଚେତନ କରାଯାଇଥିଲା । ଏଥି ସହ ସଚେତନତା ମୂଳକ ଗୀତିନାଟ୍ୟ ସାଙ୍ଗକୁ କ୍ଷୁଦ୍ର ଚଳଚ୍ଚିତ୍ର “କିଛି ହବନି ତ ?” ପ୍ରଦର୍ଶିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା ।