ବ୍ରହ୍ମପୁର, ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାରେ ବ୍ରହ୍ମପୁର ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍ ଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ କଲିକତାର ଅଶୋକ ମୁଦ୍ରା ନାମକ ଜଣେ ବ୍ୟବସାୟୀ ବ୍ରହ୍ମପୁରରେ ନିଜର ବ୍ୟବସାୟ ଚଲାଇଥିଲେ । କଲିକତା ବ୍ୟବସାୟୀ ଜଣକ ବ୍ରହ୍ମପୁରରେ ନିଜର ବ୍ୟବସାୟକୁ ଚଲାଇବା ନିମନ୍ତେ ଜଣେ ଏଜେଂଟ୍ କୁ ନିୟୋଜିତ କରିଥିଲେ ।
ଗତ ୨୩ ତାରିଖରେ ଏଜେଂଟ୍ ଜଣକ ପ୍ରାୟ ୫୦ ଲକ୍ଷ ଟଙ୍କା ଧରି ବ୍ରହ୍ମପୁର ଭୁବନେଶ୍ୱର ଅଭିମୁକେ ଏକ ବସ୍ ରେ ଯାଉଥିଲେ । ବ୍ରହ୍ମପୁରରୁ ଏଜେଂଟ୍ ଜଣକୁ ୫ଜଣ ଦୁର୍ବୃତ ତାଙ୍କର ପିଛା କରି ଶେଷରେ ବାଲୁଗାଁ ନିକଟରେ ଏଜେଂଟ୍ ଜଣକୁ ଦୁର୍ବୃତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ଏହା ପରେ ଏଜେଂଟ୍ ଜଣକର ମୋବାଇଲ୍ ଫୋନ୍ କୁ ପ୍ରଥମେ ଛଡ଼ାଇ ନେବା ସହ ନଗଦ ୫୦ ଲକ୍ଷ ଟଙ୍କା ମଧ୍ୟ ଲୁଟ୍ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ଏହି ଘଟଣା ଘଟିବା ପରେ ଏଜେଂଟ୍ ଜଣକ କଲିକତାର ବ୍ୟବସାୟୀଙ୍କୁ ଘଟଣା ସଂପର୍କରେ କହିଥିଲେ । ବ୍ୟବସାୟୀ ଜଣକ ବ୍ରହ୍ମପୁର ବଡ଼ ବଜାର ଥାନାରେ ଏକ ଲିଖିତ ଅଭିଯୋଗ ଗତ ୨୫ ତାରିଖରେ କରିଥିଲେ । ଏନେଇ ବଡ଼ ବଜାର ଥାନା ପୁଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଥିବା ତିନିଜଣ ଦୁର୍ବୃତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏହା ପରେ ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫ ମାନଙ୍କ ମଧ୍ୟରେ ମୁଖ୍ୟ ଖଳନାୟକ କୁହାଯାଉଥିବା ସୁନୀଲ ବିଷୋୟୀ, ମୁନା ମହାରଣା, ପ୍ରତୀକ୍ ଦଳେଇ, ରାଜା ଚୌଧୁରୀ ଏବଂ ନିରଞ୍ଜନ ଗୌଡ଼ ରହିଛନ୍ତି । ଏମାନଙ୍କ ନିକଟରୁ ନଗଦ ୩୬,୭୭୦୦୦ ଜବତ କରିବା ସହ ମୋବାଇଲ୍, ସୁନା ମୁଦି ଏବଂ କାନ ଫୁଲ ଜବତ କରିଛନ୍ତି । ଏହି ଘଟଣାରେ ଅନ୍ୟ ଦୁଇଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଅତିଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।