ପାଟଣାଗଟ ୧୪।୮ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଗାଁଠାରେ ୭/୦୫/୧୯୭୪ ମସିହାରେ ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ, ସର୍ବୋଦୟ ଓ ଭୂଦାନନେତା, ସମାଜସେବୀ, ସାହିତ୍ୟିକ, କବି, ଅଭୀନେତା ଓ ନାଟ୍ୟକାର କବିଶ୍ରୀ ଗୋବର୍ଦ୍ଧନ ଦାସ ଓ କନକଲତା ଦାସଙ୍କ କନିଷ୍ଠ ସନ୍ତାନ ଭାବରେ ସଂଗୀତ ସାଧକ ଶ୍ରୀ ପ୍ରାଣ ପ୍ରକାଶ ଦାସ ଜନ୍ମ ଗ୍ରହଣ କରିଥିଲେ । ଯମଜ ସନ୍ତାନ ଭାବରେ ଜୀବନ ପ୍ରକାଶ ଏବଂ ପ୍ରାଣ ପ୍ରକାଶ ଉଭୟେ ପାରିବାରିକ କଳାରୁ ପ୍ରେରଣା ପାଇ ପିଲାଟି ଦିନରୁ ସଂଗୀତ ସାଧନାରେ ନିଜକୁ ସମର୍ପିତ କରିଛନ୍ତି । ସେମାନେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ତଥା ଆକାଶବାଣୀ ଓ ଦୂରଦର୍ଶନର ସ୍ୱିକୃତୀ ପ୍ରାପ୍ତ ସଂଗୀତ ସଂଯୋଜକ, ତବଲା ଶିଳ୍ପୀ ବଡ଼ଭାଇ ଗୁରୁ ଆଲୋକ ପ୍ରକାଶ, ଅନ୍ୟତମ ବଡ଼ଭାଇ ଦିପ୍ତୀ ପ୍ରକାଶ, ଆଗ୍ରହ ପ୍ରକାଶ ଏବଂ ପରିବାରର ସମସ୍ତଙ୍କ ଦ୍ୱାରା ଉତ୍ସାହିତ ହୋଇ ସଂଗୀତ ସାଧନା କରିବା ସଂକଳ୍ପ ନେଇଥିଲେ । ପ୍ରାଣ ପ୍ରକାଶ ସର୍ବପ୍ରଥମେ ବଡ଼ଭାଇ ଗୁରୁ ଆଲୋକ ପ୍ରକାଶ ଦାସଙ୍କ ନିକଟରୁ ତବଲା ବାଦନ ଶିକ୍ଷା କରିବା ପରେ ବନାରସ୍ ର ପଣ୍ଡିତ ଛକନ୍ ଲାଲ ମିଶ୍ର, ପଣ୍ଡିତ ଅନନ୍ତ ନାରାଯଣ ମିଶ୍ର ଓ ପଣ୍ଡିତ ସଞ୍ଜୟ ଗିଜ୍ରେଙ୍କ ଭଳି ଗୁରୁ ମାନଙ୍କଠାରୁ ଉଚ୍ଚତର ଶାସ୍ତ୍ରୀୟ ତବଲା ବାଦନ ଶିକ୍ଷା ଗ୍ରହଣ କରିବା ଗୌରବ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ପ୍ରସିଦ୍ଧ ତବଲା ବାଦକ ତାଲଯୋଗି ପଣ୍ଡିତ ସୁରେଶ ତଲବରକର, ପଣ୍ଡିତ ନୟନ ଘୋଷଙ୍କ ମାର୍ଗଦର୍ଶନରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଶାସ୍ତ୍ରୀୟ ସଂଗୀତ ତଵଲା ବିଭାଗରେ ପ୍ରାଚୀନ କଳା କେନ୍ଦ୍ର ଚଣ୍ଡିଗଡ଼ରୁ ସଂଗୀତ ଭାସ୍କର ଏବଂ ଇନ୍ଦୀରା କଳା ସଂଗୀତ ବିଶ୍ଵବିଦ୍ୟାଳୟ ଖାଇରାଗଡ଼ ରୁ ଏମ୍ ମ୍ୟୁଜ୍ କୃତିତ୍ଵର ସହିତ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେବା ସହିତ ଆକାଶବାଣୀ ସମ୍ବଲପୁରର ଶାସ୍ତ୍ରୀୟ ଓ ସୁଗମ ସଂଗୀତ ବିଭାଗର ସ୍ଵିକୃତୀ ପ୍ରାପ୍ତ ତବଲା ଶିଳ୍ପୀ । ଏକ ପଲ୍ଲୀ ଗ୍ରାମରେ ବସବାସ କରୁଥିବା ଶ୍ରୀ ପ୍ରାଣ ପ୍ରକାଶ ଉଚ୍ଚ ଶିକ୍ଷିତ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ବା ବେସରକାରୀ ସହଯୋଗରୁ ବଞ୍ଚିତ । ଭାରତର ଅନେକ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସେ ତବଲା ବାଦନ କରିଛନ୍ତି । ସମସ୍ତ ତବଲା ଘରାନାର ପ୍ରୟୋଗ କରି ସ୍ଵତନ୍ତ୍ର ତବଲା ବାଦନ ଓ ସହଯୋଗୀ ଶିଳ୍ପୀ ଭାବରେ ବନାରସ୍, ବିଲାସପୁର, ଦିଲ୍ଲୀ, ଭୁବନେଶ୍ଵର, ସମ୍ବଲପୁର, ବଲାଙ୍ଗିର, ଟିଟିଲାଗଡ଼, ଫୁଲବାଣୀ,ସୁନାବେଡ଼ା ବାଲେଶ୍ଵର ଆଦି ଅନେକ ସ୍ଥାନରେ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ସମାରୋହର ସଂଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସର୍ବଭାରତୀୟ ଯୋଗିନୀ ମହୋତ୍ସବ “ଝରିଏଲ୍”, ଭୁବନେଶ୍ଵରର “ଆମଦ” ବାଲେଶ୍ଵରର “ତାଲ୍ ଦରବାର” ଭଳି ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ ଅଂଗ୍ରହଣ କରି ତବଲା ବାଦନରେ ଉପସ୍ଥିତ ଶ୍ରୋତା ମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇଥିଲେ । ପ୍ରାଣ ପ୍ରକାଶ ନିକଟରେ ଗତ ” ତା-୨୩/୦୭/୨୦୨୩ ରିଖ ଦିନ ବିଶିଷ୍ଟ ତବଲା ସାଧକ ଗୁରୁଶ୍ରୀ ଅଜିତାନନ୍ଦ ଦେବ ଗୋସ୍ଵାମୀଙ୍କ ଦ୍ଵାରା ପ୍ରତିଷ୍ଠିତ “ତାଲ୍ ତରବାର” ପକ୍ଷରୁ ବାଲେଶ୍ଵର ଠାରେ ଆୟୋଜିତ ଶାସ୍ତ୍ରୀୟ ସଙ୍ଗୀତ ସମାରୋହରେ ଉଚ୍ଚାଙ୍ଗ ତବଲା ବାଦନ କରି “ତାଲ ପ୍ରଭାକର” ସମ୍ମାନ ଲାଭ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ କି ଏହି କଳାକାରଙ୍କ ପରିବାରର ସମସ୍ତ ସଦସ୍ୟ କଳାପ୍ରତି ସମର୍ପିତ ଓ ସମସ୍ତେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବା ସହିତ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ।