ବୋଲଗଡ : ଆଜିର ମାନବ ସମାଜ ଗଛ ଗୁଡିକୁ କାଟି ପରିବେଶକୁ ନଷ୍ଟ କରିବା ଦ୍ୱାରା ପରିବେଷ ଅସନ୍ତୁଳିତ ହେବା ସହିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଗଛଟିଏ ଜୀବନଟିଏ ମାନବ ସମାଜପାଇଁ ଏକ ଅପରିହାର୍ଯ୍ୟ ବାର୍ତ୍ତା । ପରିବେଶ ବଞ୍ଚିଲେ ମାନବ ସମାଜ ସୁସ୍ଥ ଓ ସୁନ୍ଦର ରହିବା ସହିତ ପ୍ରକୃତିରେ ସମନ୍ୱୟ ରକ୍ଷାକରାଯାଇପାରିବ ।
ଏହି ଅବସରରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଆର୍ଥିକ ସହାୟତାରେ ଓ ବୋଲଗଡ ବନଚକ ଆନୁକୁଲ୍ୟରେ ଏବଂ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ,ବନରକ୍ଷୀ ବିନୟିତା ସାମନ୍ତସିଂହାରଙ୍କ ମିଳିତ ଆବାହକତ୍ୱରେ ଶ୍ୟାମସୁନ୍ଦରସ୍ଥିତ କେନ୍ଦ୍ରୀୟ ସ୍ଥାୟୀ ଚାରା ରୋପଣ କେନ୍ଦ୍ରଠାରେ ପରିବେଶ ସୁରକ୍ଷା ଓ ନୂତନ ବନୀକରଣପାଇଁ ୧ଲକ୍ଷ୪୧ହଜାର ନୂତନ ଚାରା ପ୍ରସ୍ତୁତି କରାଯାଇଛି ।
ଏମାନଙ୍କ ମଧ୍ୟରେ ୩୦ହଜାର ଶିଶୁ,୨୩ହଜାର କରଞ୍ଜିଆ,୧୯ହଜାର ଅଁଳା,୧୪ହଜାର ଗମ୍ଭାରୀ,୧୦ହଜାର ନିମ୍ବ,୯ହଜାର ଶାଗୁଆନ,୫ହଜାର ମେହେଗାନୀ, ୫ହଜାର ମହୁଲ,୪ହଜାର ଜାମୁ,୪ହଜାର ଆକାଶିଆ,୩ହଜାର ବାହାଡା,୪ହଜାର କଶି,୩ହଜାର ରାଧାଚୁଡା,୩ହଜାର ଚାକୁଣ୍ଡା,୨ହଜାର ସୁନାରୀ,୨ହଜାର ଅର୍ଜ୍ଜୁନ,୩ହଜାର କୃଷ୍ଣଚୁଡା, ୧ହଜାର ପାଟୁଳି ନୂତନ ଚାରା ରହିଅଛି ।
ଏହି ଚାରା ରୋପଣ କେନ୍ଦ୍ରରୁ ସମସ୍ତ ଜନସାଧାରଣଙ୍କୁ ପରିବେଶ ସୁରକ୍ଷାପାଇଁ ଗଛ ପ୍ରତି ୧ ଟଙ୍କା ଦରରେ ବିକ୍ରୟ କରାଯାଉଛି ଏବଂ ସମସ୍ତ ସ୍କୁଲ ,କଲେଜ,ପାଠାଗାର,କ୍ଲବ,ମହିଳାସମିତି ଓ ଗ୍ରା.ପ. ଗୁଡିକୁ ବିନା ମୁଲ୍ୟରେ ନୂତନ ଚାରା ଯୋଗାଇ ଦିଆଯିବ ବୋଲି ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ କହିଛନ୍ତି । ଡାବରଧୁଆ ପାଟଣାସ୍ଥିତ ଶକ୍ତିପୀଠ ଭୈରବିଠାରେ ୪୪ହଜାର,ସବୁଜ ମହାନଦୀ ମିଶନକୁ ୫୦ ହଜାର ଓ ନୂତନ ଜଙ୍ଗଲ ବନୀକରଣପାଇଁ ୨୫ହଜାର ନୂତନ ଚାରା ବିନା ମୁଲ୍ୟରେ ଯୋଗାଇ ଦିଆଯିବବୋଲି ବନପାଳ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଅଛନ୍ତି । ସମସ୍ତ ଚାରାଗୁଡିକୁ ରାତ୍ର ଜଗୁଆଳ ବିରଞ୍ଚି ସାମନ୍ତରାୟ,ରବିନ୍ଦ୍ର କୁମାର ସାହୁ,କାଳନ୍ଦି ପ୍ରଧାନ,ସୀତାକାନ୍ତ ପ୍ରଧାନ,ପ୍ରକାଶ ଜେନା,ଗୋପାଳ ସାମନ୍ତରାୟ ଓ ବ୍ରଜକିଶୋର ଦଳବେହେରା ନୂତନ ଚାରା ଗୁଡିକର ଦାୟୀତ୍ୱ ନେଇ ସୁରକ୍ଷା ଦେଉଅଛନ୍ତି ।