ଫୁଲନଖରା : ସ୍ୱେଚ୍ଛାସେବୀ ସଂଗଠନ ‘ବିଶ୍ୱାସ’ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ସଦର ବ୍ଲକ ଉରାଳି ପଞ୍ଚାୟତ ଅନ୍ତର୍ଗତ ସଇନ୍ଧା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ପୋଲିସ ଏସିପି ସତ୍ୟରଞ୍ଜନ ମଲିକ ମୁଖ୍ୟ ଅତିଥିଭାବେ ଶିବିରକୁ ଉଦଘାଟନ କରି ସାମ୍ପ୍ରତିକ ପରିସ୍ଥିତିରେ ରକ୍ତଦାନ ପରି ଏକ ଅତ୍ୟନ୍ତ ମହତ କାର୍ଯ୍ୟ ପାଇଁ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ଆହ୍ୱାନ ଦେବା ସହିତ ଆଜିର ଏହି ଶିବିର ଆୟୋଜନକାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଡଃ. ଶରତକୁମାର ରଥ, ପ୍ରଧାନ ଶିକ୍ଷକ ନରେନ୍ଦ୍ରକୁମାର ସାହୁ, ପ୍ରମୋଦକୁମାର ବେହେରା, ଆଲୋକଚନ୍ଦ୍ର ମହାନ୍ତି, ଗଣେଶ ସାହୁ, ବ୍ରଜକିଶୋର ସାହୁ, ସରୋଜ ସାହୁ, ଭାଗ୍ୟଧର ପଣ୍ଡା, ପ୍ରମୋଦ ଓଝା, ବାସୁଦେବ ପଣ୍ଡା, ରାଜେଶ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହାୟତାରେ ଏହି ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିଙ୍କଦ୍ୱାରା ଚାରା ରୋପଣ ହୋଇଥିଲା । ପ୍ରିୟରଞ୍ଜନ ରାଉତରାୟ, କୀର୍ତ୍ତିରଞ୍ଜନ ପଟ୍ଟନାୟକ, ଅଞ୍ଜନ ଦାସ, ଦିବ୍ୟଜ୍ୟୋତି ଲେଙ୍କା, ଅଭିରାମ ଲେଙ୍କା ପ୍ରମୁଖ ବିଶ୍ୱାସ ଫାଉଣ୍ଡେସନ କର୍ମକର୍ତ୍ତା ଓ ସଇନ୍ଧା ଯୁବଗୋଷ୍ଠୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।