Odisha news

ପିଏମ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କା ପଠାଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଦେଲେ ବିଜେପି ରାଜ୍ୟ ସଭାପତି

0

 ବନ୍ଧୁ ପରିଜନ ମାନଙ୍କୁ ଅବଗତ କରାଇ ଅତି କମରେ ୧୦ ଜଣଙ୍କୁ ଦାନ କରିବା ପାଇଁ ଉତ୍ସାହିତ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ
 କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଅସହାୟ ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ
 କରୋନା ସଙ୍କଟ ସମୟରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ
ଭୁବନେଶ୍ୱର, ତା. ୩୧/୦୩: କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠୀ ହୋଇ ଲଢେଇ କରୁଛି । କରୋନା ଭଳି ମହାମାରୀ କାରଣରୁ ସ୍ୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନ ହୋଇଛି । କରୋନାର ମୁକାବିଲା କରିବା ପାଇଁ ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ସହାୟତା ଯୋଗାଇବା, ଭିତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ, ନୂତନ ପ୍ରଯୁକ୍ତିର ପ୍ରୟୋଗ, ଅତ୍ୟାଧୁନିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ଫଣ୍ଡ) ଗଠନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟ ଭାରତୀୟ ଜନତା ପାର୍ଟିର ସମସ୍ତ କାର୍ଯ୍ୟକର୍ତା ପିଏମ କେୟାର୍ସ ଫଣ୍ଡକୁ ୧୦୦ ଟଙ୍କାର ସହାୟତା ରାଶି ପଠାଇବା ସହ ୧୦ ଜଣଙ୍କୁ ଏହି ଫଣ୍ଡକୁ ଦାନ କରିବା ପାଇଁ ପ୍ରବର୍ତାଇବା ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି ।

ଏଭଳି ଏକ ସଙ୍କଟ ଘଡିରେ ଆମେ ପିଏମ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କା ଠାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ରାଶି ପଠାଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା । ଏହା ସହ ଆମର ବନ୍ଧୁ ପରିଜନ ମାନଙ୍କୁ ଏହି ଫଣ୍ଡ ସମ୍ବନ୍ଧରେ ଅବଗତ କରାଇ ଅତି କମରେ ୧୦ ଜଣଙ୍କୁ ଦାନ କରିବା ପାଇଁ ଉତ୍ସାହିତ କରିବା । ଦେଶର କୋଣ ଅନୁକୋଣରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷ ଏହି ଫଣ୍ଡକୁ ଅର୍ଥ ପଠାଉଛନ୍ତି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆମେ ଏହି ସଙ୍କଟ ସମୟରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ବୋଲି ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
କରୋନାକୁ ହରାଇବା ପାଇଁ ଆମେ ସମସ୍ତେ ନିଜ ନିଜ ଅଂଚଳରେ ଅସହାୟ ବିପନ୍ନ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବା । ଫିଡ ଦି ନିଡି  – ମୋଦି ଅନ୍ନ ଯୋଜନାରେ ଗରିବ, ଦିନ ମଜୁରିଆ, ଶ୍ରମିକ, ଅଭାବୀ ଲୋକ, ବାହାରେ ବୁଲୁଥିବା ପଶୁମାନଙ୍କୁ ଖାଦ୍ୟ ଯୋଗାଇ ଦେବା ସହ ଶୁଖିଲା ଖାଦ୍ୟ, ଔଷଧ, ସାନିଟାଇଜର ଆଦି ବଂଟନ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।
ମୋଦି ସରକାର ଏଭଳି ଏକ ଆହ୍ୱନାମୂଳକ ସମୟରେ ଦାୟୀତ୍ୱବାନ ଶାସନର ଉଦାହରଣ ହୋଇଛନ୍ତି । ଆମେ ସମସ୍ତେ ଏକାଠି ହୋଇ କୋରନା ଭଳି ଏକ ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢେଇ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପାଳନ କରି ପୂରା ୨୧ ଦିନ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

Leave A Reply