Odisha news

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ପ୍ରଶ୍ନ ନେଇ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର : ଅନିଲ ବିଶ୍ୱାଳ

0

ଭୁବନେଶ୍ୱର, ତା.୦୭/୧୧ : ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ପ୍ରଶ୍ନ ପତ୍ରରେ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ବିବାଦୀୟ ପ୍ରଶ୍ନକୁ ନେଇ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କଡା ପ୍ରତିକ୍ରିୟା ଦେଇଛନ୍ତି । ପ୍ରଶ୍ନ ପତ୍ରରେ ରାମ ରାଜ୍ୟକୁ କଳ୍ପନା ପ୍ରସୁତ ବୋଲି ଲେଖା ଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ସରକାରଙ୍କ ଷଡଯନ୍ତ୍ର ବୋଲି ଶ୍ରୀ ବିଶ୍ୱାଳ କହିବା ସହ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ପ୍ରଶ୍ନରେ ଲେଖା ହୋଇଛି । ରାମ ରାଜ୍ୟ ଏକ “କଳ୍ପନା ପ୍ରସୂତ’ ରାଜ୍ୟ ଥିଲା ଅର୍ଥ ଏହା ମିଛ ଥିଲା । ଯଦି ରାମ ରାଜ୍ୟ ମିଛ ଥିଲା ତାହେଲେ ଭଗବାନ ରାମ ବି ମିଛ ଥିଲେ । ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଂଚାଇଛି । ସରକାରୀ ବିଦ୍ୟାଳୟମାନଙ୍କରେ ଏଭଳି କଥା କିଭଳି ଲେଖା ଯାଇପାରିଲା? ଏହାକୁ ନେଇ ସରକାର ଆଇପିସି ସେକ୍ସନ ୨୯୫ ଏ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବା କଥା । ଯଦି ସରକାର ତାହା କରନ୍ତି ନାହିଁ ତାହେଲେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ।
ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଂଚାଇବା ଅନେକ ରାଜନୈତିକ ଦଳର ଅଭ୍ୟାସ । ଦିନେ କଂଗ୍ରେସ ଦଳ ଏଭଳି ଏକ ସତ୍ୟପାଠ ସୁପ୍ରିମକୋର୍ଟରେ ଦେଇଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟ ହେଉଛି ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷା ଅନୁଷ୍ଠାନ । ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ରାମଙ୍କ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ବିଜୁ ଜନତା ଦଳର ରାଜ୍ୟ ସରକାରର ଏକ ଯୋଜନାବଦ୍ଧ ରାଜନୈତିକ ଷଡଯନ୍ତ୍ର ନୁହେଁ ତ? ଘଟଣାର ସତ୍ୟତା ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

 

Leave A Reply