Odisha news

ସପ୍ତମ ଦିନରେ ଭଞ୍ଜନଗର ଠାକୁରାଣୀ ଯାତ୍ରା, ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼

0

ଭଞ୍ଜନଗର- ଭଞ୍ଜନଗର ଠାକୁରାଣୀ ଯାତ୍ରା  ଆଜି ସପ୍ତମ ଦିନରେ ପହଁଚିଥିବା ବେଳେ ଘଟ ପରିକ୍ରମା କାର୍ଯ୍ୟକ୍ରମ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି I ହନୁମାନ ମନ୍ଦିର ଛକ ଠାରୁ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଆଲୋକ ସଜ୍ଜିକରଣରେ ସାଜସଜ୍ଜା ହୋଇଛି I ମୁଖ୍ୟ ସଡକ ଟାଉନ ହଲ ନିକଟରେ କବି ସମ୍ରାଟ ରଙ୍ଗମଞ୍ଚ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି I ଏଥିରେ ବହୁ କଳାକାର ନାଚ ଗୀତ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିପାରୁଛନ୍ତି I ଏଥିସହ ସ୍ଥାନୀୟ ଜେଲ ପଡିଆ ଠାରେ ହସ୍ତଶିଳ୍ପ ମେଳା ଆୟୋଜନ ହୋଇଥିବାବେଳେ ଯାତ୍ରାକୁ ଆସୁଥିବା ଲୋକଙ୍କ ଭିଡ ମେଳାରେ ଜମୁଛି I ସେହିପରି  ମୀନବଜାର ଓ ରାମଦୋଳି ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ  ଚାଲିଛି I ଦୀର୍ଘ ୬ ବର୍ଷପରେ ଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ଖୁସି ଓ ଉତ୍କଣ୍ଠା ଦେଖିବାକୁ ମିଳିଛି I ଅନ୍ୟପକ୍ଷରେ ଆଜି ଅସ୍ଥାୟୀ ମଣ୍ଡପରେ ପାରମ୍ପରିକ  ରୀତିନୀତି ପ୍ରକାରେ ପୂଜାର୍ଚନା ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା I ଦେଶୀବେହେରାଙ୍କ  ପରିବାର ପକ୍ଷରୁ ମୁଖ୍ୟ ଘଟ ବହନ କରାଯାଇଥିବାବେଳେ  ଅନ୍ୟ ୪ ଟି ପାର୍ଶ୍ୱଘଟ ମାନସିକଧାରୀ  ମହିଳା ମାନେ ଧାରଣା କରିଥିଲେ I ଅସ୍ଥାୟୀ ମଣ୍ଡପ  ନିକଟରୁ ଆସି  ମେନ ରୋଡ଼ ସ୍ଥିତ ପ୍ରଦୀପ କୁମାର ସାହୁଙ୍କ ବାସଭବନ ଠାରେ ପୂଜାର୍ଚନା କରାଯାଇ ଭୋଗ କରାଯାଇଥିଲା I ଏହାପରେ  ରେଡ଼କ୍ରସ ରୋଡ଼ ଅତିକ୍ରମ କରି ମହାବୀର ଛକ ,ତହସିଲ ଅଫିସ ଛକ ହୋଇ ମା’ ଗମ୍ଭୀରାକୁ  ପ୍ରବେଶ କରିଥିଲେ I ଘଟ ପରିକ୍ରମା ବେଳେ ମା’ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା I ଏଥିସହ ମନାସିକଧାରୀଙ୍କ  ବେଶ ଧାରଣ ସହ ବିଭିନ୍ନ ପଟୁଆର ବାହାରିବା ସହ ବିଭିନ୍ନ ବାଦ୍ୟ ବାଜଣା ଓ ହୁଳହୁଳି ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା I

Leave A Reply