Odisha news

ଅଢେଇ ଗାଆଁରେ ଜଘନ୍ୟ ହତ୍ୟାକାଣ୍ଡ : ଶୋଇବା ଶେଜରେ ପତ୍ନୀକୁ ହତ୍ୟାକଲା ଜଲ୍ଲାଦ ସ୍ୱାମୀ

0

ଭଞ୍ଜନଗର : ରାତି ଅଧରେ ଶୋଇବା ଶେଜରେ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟାକଲା ନିଷ୍ଟୁର ସ୍ୱାମୀ । ଇହକାଳ ଓ ପରକାଳର ଦେବତା ବୋଲି ଅନ୍ଧଭାବେ ଯାହାକୁ ବିଶ୍ୱାସ କରିଥିଲା ପତ୍ନୀ ରଶ୍ମିତା ସେହି ବିଶ୍ୱାସରେ ବିଷ ଭରିଥିଲା ନିଷ୍ଟୁର ସ୍ୱାମୀ । ଆଉ ସବୁ ସମ୍ପର୍କ ଛିନ୍ନ କରି ଅତି ଜଘନ୍ୟଭାବେ ରାତି ଅଧରେ ପତ୍ନୀକୁ ହତ୍ୟାକଲା ସେ । କ’ଣ ଏହାର କାରଣ । କାହିଁକି ଏଭଳି ନିର୍ମମ ହତ୍ୟାକଲା ନିଷ୍ଟୁର ସ୍ୱାମୀ ? ଏହାକୁ ନେଇ ଏବେ ପୁଲିସ ତାର ଖୋଳତାଡ ଆରମ୍ଭ କରିଛି । ମିଳିଥିବା ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଅଢେଇଗାଆଁର ଡାକ ଓରଫ ଅନ୍ତର୍ଯ୍ୟାମୀ ଗୌଡ ଶୋଇବା ଶେଜରେ ନିଜ ପତ୍ନୀ ରଶ୍ମିତାକୁ ଏକ ଧାରୁଆ ଅସ୍ତ୍ର ସହାୟତାରେ ମୁଣ୍ଡ ଓ ଦୁଇହାତକୁ ବାରମ୍ବାର ଆଘାତ କରି ହତ୍ୟା କରିଛି । ପତ୍ନୀଙ୍କ ସମସ୍ତ ନେହୁରା ନିଷ୍ଟୁର ସ୍ୱାମୀଙ୍କ କାନକୁ ଶୁଭିନଥିଲା ।

ସେ ବାରମ୍ବାର ଚୋଟ ପରେ ଚୋଟ ପକାଇ ଚାଲିଥିଲା । ଆଉ ରଶ୍ମିତା ନିସ୍ତେଜ ହୋଇଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏଭଳି ଘଟଣା ଜଣାପଡିବା ପରେ ଗ୍ରାମବାସୀଙ୍କ ସହାୟତାରେ ରଶ୍ମିତାକୁ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା ।
ଏସମ୍ପର୍କରେ ମୃତ ରଶ୍ମିତାର ଭାଇ କୃଷ୍ଣଚନ୍ଦ୍ର ଗୌଡଙ୍କ ରିପୋର୍ଟ ଆଧାରରେ ବେଲଗୁଣ୍ଠା ଫାଣ୍ଡି ପୁଲିସ ଭଞ୍ଜନଗର ମେଡିକାଲରେ ପହଞ୍ଚô ଶବକୁ ଜବତ କରିବାସହ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଅନ୍ତର୍ଯ୍ୟାମୀ ଓରଫ ଡାକ ଗୌଡଙ୍କୁ ଧରିବାକୁ ଛାନଭିନ୍ ଆରମ୍ଭ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏସମ୍ପର୍କରେ ଭଞ୍ଜନଗର ଥାନା କେଶ ନମ୍ବର- ୩୮୧ରେ ମାମଲା ରୁଜୁ କରାଯାଇଛି । ଦଫା ୩୦୨, ୪୯୮(ଏ) ଓ ୪ ଡିପି ଆକ୍ଟ ପ୍ରକାରେ ମାମଲା ରୁଜୁ କରାଯାଇଛି ।

ଫାଣ୍ଡି ଅଧିକାରୀଙ୍କ ସୂଚନା ପ୍ରକାରେ ହତ୍ୟାର ଶୀକାର ହୋଇଥିବା ରଶ୍ମିତାର ଭାଇ କୃଷ୍ଣଚନ୍ଦ୍ର ଦେଇଥିବା ରିପୋର୍ଟରେ ତାର ଭଉଣୀକୁ ତାର ସ୍ୱାମୀ ଅନ୍ତର୍ଯ୍ୟାମୀ ଓରଫ ଡାକ ଗୌଡ ହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି । ଏଥିରେ ରଶ୍ମିତାର ନଣନ୍ଦ ଓ ନଣନେ୍ଦଇ ଅନ୍ତର୍ଯର୍୍ୟାମୀକୁ ପ୍ରରୋଚିତ କରିଥିବା ଓ ଖାସ୍ ଏହି ଦୁହିଁଙ୍କ ପାଇଁ ଅନ୍ତର୍ଯ୍ୟାମୀ ଅଧିକ ହିଂସ୍ର ହେବାସହ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛି । ରଶ୍ମିତା ୧୬ବର୍ଷ ହେଲା ବାହା ହୋଇଥିଲେ ମଧ୍ୟ ସ୍ୱାମୀ ଡାକ ଓରଫ ଅନ୍ତର୍ଯ୍ୟାମୀ ତାକୁ ଅଧିକ ୫ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କୁଆଡେ ବାରମ୍ବାର ଧମକ ଦେଉଥିଲେ ବୋଲି କୃଷ୍ଣ ନିଜ ଏତଲାରେ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଯୌତୁକ ଜନିତ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାର ଖୋଳତାଡ ଆରମ୍ଭ କରିଛି ପୁଲିସ । ଏଭଳି ଘଟଣା ଅଢେଇଗାଆଁକୁ ସ୍ତବ୍ଧ କରିଦେଇଛି । ଫେରାର ସ୍ୱାମୀ ଅନ୍ତର୍ଯ୍ୟାମୀ ଓରଫ ଡାକ ଗିରଫ ହେବାପରେ ଘଟଣାର ବାସ୍ତବ ସତ୍ୟ ପଦାକୁ ଆସିବ, ଏହା ପୁଲିସ ଅନୁମାନ କରୁଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply