ବେତନଟୀ : କିଛି ଦିନର ବ୍ୟବଧାନ ପରେ ପୁଣି ଶନିବାର ରାତି ୧୨ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧିନ ଗଡଦେଉଳିଆ ପଞ୍ଚାୟତର ବାଲକା ଗ୍ରାମରେ ପ୍ରବେଶ କଲେ ତିନୋଟି ବଣୁଆ ହାତୀ। ତିନୋଟି ବଣୁଆ ହାତୀ ଗାଁ ମୁଣ୍ଡରେ ଥିବା ହାଟ ପଡିଆରେ ବିଚରଣ କରୁଥିବା ବେଳେ ମଧ୍ୟ ରାତ୍ରୀ ସମୟରେ ଖାଦ୍ଯ ଅନ୍ୱେଷଣରେ ଉକ୍ତ ଗ୍ରାମର ରଘୁ ମାଝି ଓ ବିଷ୍ଣୁ ଟୁଡୁଙ୍କ ଘର ମୁହାଁ ହୋଇଥିଲେ। ଘରେ ରଘୁ ନଥିବା ବେଳେ ସ୍ତ୍ରୀ ବୁଧୁନି ଘର ବାରଣ୍ଡାରେ ଏବଂ ପୁଅ ଘର ଭିତରେ ଶୋଇଥିଲେ। ବୁଧୁନି ହାତୀ ଆସୁଥିବାର ଶବ୍ଦ ପାଇ ପୁଅଙ୍କୁ ଉଠାଇ ଜୀବନ ବଞ୍ଚାଇ ପଡୋଶୀ ଘରକୁ ପଳାଇଯାଇଥିଲେ। ତେବେ ହାତୀ ଦୁଇଟି ରଘୁ ମାଝିଙ୍କ ଗଚ୍ଛିତ ଥିବା ଧାନକୁ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ସେହି ପରି ଅନ୍ୟ ଗୋଟିଏ ହାତୀଟି ବିଷ୍ଣୁ ଟୁଡୁଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ।ତେବେ ଘଟଣା ସ୍ଥଳରେ ବନ ବିଭାଗର ଏକ ଟିମ ସଜାଗ ରହିଥିବା ବେଳେ ସେମାନେ ବଣୁଆ ହାତୀ ପୋଲ ତିନୋଟିର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି। ତେବେ ଖାଦ୍ଯ ଅନ୍ୱେଷଣରେ ଏହି ହାତୀ ତିନୋଟି ଜନବସତି ଭିତରକୁ ପଶି ଆସି ଥିବାରୁ ଗ୍ରାମରେ ଭୟର ବାତାବରଣ ମଧ୍ଯ ଦେଖାଯାଇଛି। ବନବିଭାଗ ଦ୍ଵାର ସେମାନଙ୍କର କ୍ଷୟକ୍ଷତି ଆକଳନ କରାଯାଇ ଯଥା ଶୀଘ୍ର ଉଚିତ କ୍ଷତିପୁରଣ ଦେବାକୁ ସାଧାରଣରେ ଦାବି ହେଉଛି।