ବେତନଟୀ : ବୈଶିଙ୍ଗା ଥାନାଞ୍ଚଳରୁ ବନ୍ଧୁକ ଓ ଭୁଜାଲି ଦେଖାଇ ୩୩,୩୨୬ ନଗଦ ଟଙ୍କା ସମେତ ଟାବଲେଟ ଓ ବାଓମ୍ୟାଟ୍ରିକ ସ୍କାନର କୁ ଲୁଟିନେଇ ଚମ୍ପଟ ମାରିଲେ ଲୁଟେରା । ମିଳିଥିବା ସୂଚନା ଅନୁଯାଇ ସ୍ଥାନୀୟ ‘କ୍ରେଡିଟ ଅଶେଷ ଗ୍ରାମୀଣ କୋଟା’ ନାମକ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମାହାଙ୍ଗା ଥାନା ଅଞ୍ଚଳର ହାଡ଼ିଦାସ ସ୍ୱାଇଁ ଆଜି ପୂର୍ବାହ୍ନରେ ଆଖପାଖ ଚାରୋଟି ଗ୍ରାମରୁ କମ୍ପାନୀ ଦେଇଥିବା ଋଣ ଟଙ୍କାର କିସ୍ତି ସଂଗ୍ରହ କରି ଅଁଳା ପଟରୁ ବୈଶିଙ୍ଗା ଆଡକୁ ଆସୁଥିଲେ l ହେଲେ ଆମ୍ବଗଡ଼ିଆ ଓ ଖଡ଼ିକାପଦା ଗ୍ରାମ ମଝିରେ ଥିବା ଏକ ନିଛାଟିଆ ଜାଗାରେ ହଟାତ ଏକ ଧଳା ରଙ୍ଗର ଟିଭିଏସ ଆପାଚି ଗାଡ଼ିରେ ୩ ଜଣ ଦୁର୍ବୁତ୍ତ ଆସି ତାଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଅଟକାଇବା ସହିତ ତାଙ୍କୁ ତଳକୁ ପେଲି ପକାଇ ଦେଇଥିଲେ ଓ ତାଙ୍କ ଗାଡ଼ିରୁ ଚାବିକାଠି କାଢିନେଇଥିଲେ l ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ l ପରେ ହାଡ଼ିଦାସଙ୍କ ନିକଟରେ ଥିବା ୩୩,୩୨୬ ନଗଦ ଟଙ୍କା ସମେତ ତାଙ୍କ ଟ୍ୟାବଲେଟ ଓ ବାଓମ୍ୟାଟ୍ରିକ ସ୍କାନରଟିକୁ ଲୁଟିନେଇ ଚମ୍ପଟ ମାରିଥିଲେ l ଏହି ସମୟରେ ଅନ୍ୟ ଏକ ୟୁନିକର୍ଣ ମୋଟରସାଇକେଲରେ ଥିବା ଦୁଇଜଣ ଯୁବକ ମଧ୍ୟ ସେଠାରେ ପହଞ୍ଚି ଲୁଟେରାଙ୍କୁ ସହଯୋଗ କରିଥିଲେ l ହାଡ଼ିଦାସ ନିଜ ଉପରିସ୍ଥ କର୍ମଚାରୀଙ୍କୁ ଲୁଟ ବାବଦରେ ଜଣାଇବା ସହିତ ବୈଶିଙ୍ଗା ପୁଲିସକୁ ମଧ୍ୟ ଖବର ଦେଇଥିଲେ l ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ବି ଲୁଟେରାଙ୍କ ସୁରାକ ପାଇନଥିବା ଜଣାଯାଇଛି।