ସୋର, ୬/୯- ରୋଜଗାର କରି ପରିବାରର ଅଭାବ ପୂରଣ କରିବା ଲକ୍ଷ୍ୟନେଇ ପାଠପଢ଼ା ଛାଡ଼ି ସୁଦୂର ହାଇଦ୍ରବାଦରେ ଏକ ଘରୋଇ ସଂସ୍ଥାରେ ଯୋଗ ଦେଇଥିବା କାର୍ଯ୍ୟକରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୋର ଅଞ୍ଚଳର ପ୍ରତାପଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ସମ୍ପୂର୍ଣ୍ଣ ଟଙ୍କା ଦେଇ ପାରୁ ନଥିବା କାରଣରୁ ସେଠାରେ ବନ୍ଧା ପଡ଼ିଥିବା ଖବର ପାଇ ଆଜି ଗ୍ରାମବାସୀମାନଙ୍କ ତରଫରୁ ୪୦ ହଜାର ଟଙ୍କା ଯୋଗାଡ଼ କରି ପଠାଇବା ପରେ ସେଠାକାର ଡାକ୍ତରଖାନାରୁ ମୁକୁଳି ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଫେରୁଥିବା ଖବର ମିଳିଛି । ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଇଞ୍ଚବାଙ୍କ ଗ୍ରାମର ଆଦିବାସୀ ସାହିର ଦେବ ସିଂଙ୍କ ବଡ଼ପୁଅ ପ୍ରତାପ ସିଂ(୨୦) ରୋଜଗାରକରି ପରିବାର ପ୍ରତିପୋଷଣ କରିବା ପାଇଁ ଗତ ଅଗଷ୍ଟ ମାସ ୨୪ ତାରିଖରେ ସାଙ୍ଗସାଥିଙ୍କ ଜରିଆରେ ହାଇଦ୍ରାବାଦର ଏକ ଘରୋଇ ଟେଣ୍ଟ ସଂସ୍ଥାରେ ଯୋଗଦେଇଥିଲେ । ସେହିମାସ ୨୭ ତାରିଖ ରାତିରେ ଏକ ବାହାଘର କାମସାରି ଟାଟା ଏସ୍ସିଇରେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେଠାରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ନିଜାମ ଇନ୍ଚ୍ୟୁଟସ୍ ଅଫ ମେଡ଼ିକାଲ ସାଇନ୍ସରେ ଭର୍ତ୍ତି ର୍କରାଯାଇଥିଲା । ତାଙ୍କର ୨ ହାତ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତି ଏବଂ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେଠାରେ ସଂସ୍ଥାର ମାଲିକ ୩୦ହଜାର ଟଙ୍କା ଦେଇ ପଳାଇଯାଇଥିଲେ । ପୁଅଠାରୁ ଖବର ପାଇଁ ବାପା ଦେବ ଏବଂ ମା’ ସୂର୍ଯ୍ୟମଣି ଘରେ ଥିବା ଘୁଷୁରି, ଛେଳି, କୁକୁଡ଼ା, ବାଡ଼ିରେ ଥିବା ୫ଟି ଗଛ ବିକ୍ରିକରି ଏବଂ ବନ୍ଧୁବାନ୍ଧବଙ୍କଠାରୁ ଧାର କରି ମୋଟ ୬୯ ହଜାର ଟଙ୍କା ନେଇ ସେଠାରେ ଗତ ୧ ତାରିଖରେ ପହଞ୍ôଚଥିଲେ । ମାତ୍ର ଡାକ୍ତରଖାନାରୁ ଆଣିବା ପାଇଁ ଟଙ୍କା ନଥିବାରୁ ଆଜି ଗ୍ରାମବାସୀମାନେ ୪୦ ହଜାର ଟଙ୍କା ଯୋଗାଡ଼ କରି ସେଠାକୁ ପଠାଇବା ପରେ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରକୁ ଅଣାଯାଉଥିବା ଖବର ମିଳିଛି । ପୁଅର ଚିକିତ୍ସା ପାଇଁ ଓଡ଼ିଶା ସରକାରଙ୍କ ନିକଟରେ ତାଙ୍କର ମା’ ସୂର୍ଯ୍ୟମଣି ଆକୁଳ ନିବେଦନ କରିଛନ୍ତି ।