ସ୍ଵାସ୍ଥ୍ୟସେବା ପ୍ରତି ସରକାରଙ୍କ ଧୂଆଁ ବାଣ: ରାସ୍ତା, ପାଚେରୀ, ପରିବେଶ, ଡାକ୍ତର, ନର୍ସ, ରୋଗୀସେବା ସବୁଥିରେ ବୈଶିଙ୍ଗା ଅବହେଳିତ
ବେତନଟୀ/ବୈଶିଙ୍ଗା : ଶହେ ବର୍ଷର ବୈଶିଙ୍ଗା ଡାକ୍ତରଖାନା ଯେପରି ସାଧାରଣ ରୋଗୀଙ୍କ ପାଇଁ ଅଲୋଡା ସେପରି ଅବହେଳିତ ମଧ୍ୟ, ବୈଶିଙ୍ଗା -ମାଣତ୍ରୀ ରାଜ୍ୟ ରାଜପଥରୁ ଡାକ୍ତରଖାନା କୁ ଯିବାପାଇଁ ମୂଖ୍ୟ ରାସ୍ତା ମଧ୍ୟ ଅବହେଳିତ ଅବସ୍ଥାରେ ରହି ଆସିଛି ,ଆମ୍ବୁଲାନସଟିଏ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ରାସ୍ତା ଦୁଇ ପାର୍ଶ୍ଵରେ ବାଇକ୍ ,ସାଇକେଲ, କାର୍ ଆଦି ଘଣ୍ଟା ଘଣ୍ଟାଧରି ଠିଆ ହୋଇ ରହିବାରୁ ସାଧାରଣ ରୋଗୀଟିଏ ମଧ୍ୟ ଯିବାପାଇଁ ସ୍ଥିରକ୍ଷିତ ମଣୁ ନାହିଁ।ବୈଶିଙ୍ଗା ଡାକ୍ତରଖାନା ପାଇଁ ଉଦ୍ଦିଷ୍ଟ ୧୦୮ ଆମ୍ବୁଲାନସ୍ ଆଞ୍ଚଳିକ ରୋଗୀଙ୍କ ପାଇଁ ବ୍ଯବହୃତ ହେବା ଅପେକ୍ଷା ଜିଲ୍ଲା ବାହାରେ କାର୍ଯ୍ୟରତ ରହୁଥିବାର ଜଣାଯାଇଛି। ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ନାମରେ ଯେପରି ଜନୈକ ଡାକ୍ତର ଓ ଷ୍ଟାଫ୍ ନର୍ସ ଙ୍କ ଶୋଷଣ ଚାଲିଛି, ଠିକ୍ ସେହିପରି ରାସ୍ତାକାମ ନାମରେ ବିଭାଗୀୟ ଅଧିକାରୀଙ୍କ ସରକାରୀ ଅର୍ଥ ଶୋଷଣ କରାଯାଉ ଥିବାର ଅଭିଯୋଗ ହେଉଛି। ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୫୦ ଖଣ୍ଡ ମୌଜାର ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଯେପରି ଏକ ଅଭିଶାପ ପାଲଟିଛି। ଜଣେ ମାତ୍ର ଡାକ୍ତର ଶ୍ରୀ ଅମିତ୍ ନାୟକଙ୍କ ପାଇଁ ବୈଶିଙ୍ଗା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ବଞ୍ଚିରହିଛି , ସେ ପୁଣି ସପ୍ତାହ ରେ ଦୁଇଦିନ । ଅନ୍ୟ ଜଣେ ଡାକ୍ତର ଶ୍ରୀ ସତ୍ୟପ୍ରକାଶ ଦାସ ଏହି ଡ୍ୟୁଟିରେ ଥିବା ବେଳେ ରୋଗୀ ଫେରି ଯାଇ ବାଲେଶ୍ଵର ବା ବାରିପଦା ବଡ ଡାକ୍ତରଖାନାକୁ ପଳାଇ ଯାଉଥିବାର ଅଭିଯୋଗ ହେଉଛି। ସେହିଭଳି ପ୍ରସୂତି ମାମଲାଗେ ମିନତୀ ଦିଦି ଆମଠାରୁ ଚାରି ଶହ ଟଙ୍କା ନେଇଛନ୍ତି ବୋଲି ଜନୈକା ପ୍ରସୂତୀ ଙ୍କ ର ସ୍ୱାମୀ (ନାମ ଗୋପନ ରଖି ) ଆମ ପ୍ରତିନିଧିଙ୍କୁ କହିଛନ୍ତି।
ଆଉ ଜଣେ ଆୟୁଷ ଡାକ୍ତର କେବଳ ଡାକ୍ତରଖାନଟିକୁ ଜଗି ରହିଛନ୍ତି, ରୋଗୀ ଆସିଲେ ରେଫର କରୁଛନ୍ତି। ଏ ତ ଗଲା ସ୍ୱାସ୍ଥ୍ୟ ସେବା କଥା, ସବୁ ଠାରୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ହେଉଛି ମୂଖ୍ୟ ରାସ୍ତାରୁ ଡାକ୍ତରଖାନା ଭିତରକୁ ଯିବା ପାଇଁ ଯେଉଁ ଦୁଇ ଶହ ମିଟର ଲମ୍ବାର ରାସ୍ତା ରେ ଚାଲି ଚାଲି ଗଲେ ବି କଷ୍ଟ ଲାଗିବ, ଆଉ ପ୍ରସୂତୀ ରୋଗୀଟି ଏହି ରାସ୍ତାଦେଇ ଆମ୍ବୁଲାନ୍ସରେ ଗଲେ ବି ଗାଡି ଭିତରେ ମଧ୍ୟ ପିଲା ଜନ୍ମ ହୋଇଯିବାର ନଜିର ରହିଛି।ମାଟି ତଳେ ଯାଉଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଣି ପାଇପ ଫାଟି ଯାଇ ରାସ୍ତା ଉପରେ ପାଣି ଜମା ହେବା ଯୋଗୁଁ ବନ୍ୟାର ଭ୍ରମ ସୃଷ୍ଟି କରୁଛି।ନେତା ମାନେ ସୋଲାର ଆଲୁଅ ଲଗାଇବା, ରୋଗୀଙ୍କୁ ଫଳ ବଣ୍ଟନ କରିବା, ଆମ୍ବୁଲାନ୍ସ ଉଦଘାଟନ ଆଦି କାର୍ଯ୍ୟ କୁ କିଛି ଚାମଚା ଙ୍କ ସହଯୋଗ ରେ ସମ୍ପାଦିତ କରି ନିଜର ପାରିବା ପଣିଆ ଦର୍ଶାଉଛନ୍ତି ସତ ମାତ୍ର ଏହି ରାସ୍ତା ଦେଇ ଡାକ୍ତରଖାନା ଭିତରକୁ ଯାଉଥିଲେ ମଧ୍ୟ ୟା ପ୍ରତି ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣ ଲୋକ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ତା ଛଡା ଏହି ରାସ୍ତା ଦୁଇ ପାର୍ଶ୍ଵରେ କିଛି ଦୋକାନ ଘର ଥିବାରୁ ଅଧିକାଂଶ ସମୟରେ ବାଇକ ଗୁଡିକ ମାଳମାଳ ହୋଇ ଛିଡ଼ା ହୋଇ ରହୁଥିବାରୁ ଆମ୍ବୁଲାନ୍ସ ବା ଘରୋଇ ଚାରିଚକିଆ ଯାନରେ ରୋଗୀ ଯିବା ପାଇଁ ବିଳମ୍ବିତ ହେଉଥିବା କାରଣରୁ ଅସୁବିଧା ଉପୁଜୁଛି। ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବା ଯୋଗୁଁ ମଧ୍ୟ ଗାଡି ଓ ରୋଗୀ ପ୍ରତି ବିପଦ ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି। ଏଥିପାଇଁ ବାରମ୍ଵାର ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ସର୍ବାଗ୍ରେ ଏହି ରାସ୍ତା ତିଆରି ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣ ଜନତା ଦାବୀ କରିଛନ୍ତି। ସ୍ୱାସ୍ଥ୍ୟସେବ ପ୍ରତି ସରକାର ଅଣଦେଖା କରିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କିଛି ବୁଦ୍ଧିଜୀବୀଙ୍କ ମହଲରୁ ପ୍ରକାଶ ପାଇଛି।
