ବ୍ରହ୍ମପୁର,୮।୧୧: ଜମି ବିକ୍ରି ନାଁରେ ୨ ଜଣ ମହିଳାଙ୍କ ଠାରୁ ୧୫ ଲକ୍ଷ ୩୮ ହଜାର ଟଙ୍କା ଠକି ନେଇଥିବା ଜଣେ ଯୁବକଙ୍କୁ ନିମଖଣ୍ଡି ଥାନା ପୁଲିସ ଗିରଫ କରିଛି ା ଅଭିଯୁକ୍ତ ଜଣଙ୍କ ହେଲେ ଭାବିନୀପୁର ଶ୍ରୀନଗରର ଅଶୋକ କୁମାର ଜେନା(୩୯) ା ଏ ନେଇ ନିମଖଣ୍ଡି ଥାନାରେ କେସ ନଂ ୩୫୯/୨୩ ଓ ୩୬୦/୨୩ରେ ୨ ଟି ମାମଲା ରୁଜୁ ହୋଇଛି ା ପୁଲିସ ଆଜି ଅଶୋକଙ୍କୁ ଗିରଫ କରିବା ପରେ ଅଦାଲତ ଚାଲାଣ କରିଛି ା ସୂଚନାପ୍ରକାରେ, ରାୟଗଡା ଜିଲା ଗୁଡାରୀ ଅଞ୍ଚଳରେ ରହୁଥିବା ହିଞ୍ଜିଳିକାଟୁ ବୁରୁପଡା ଗ୍ରାମର ମହିଳା ଉଷାରାଣୀ ବିଶ୍ବାଳ ବ୍ରହ୍ମପୁର ସହର ନିକଟରେ ଜମି କିଣିବାକୁ ଚାହଁୁଥିଲେ ା ସେହିକ୍ରମରେ ଅଭିଯୁକ୍ତ ଅଶୋକଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା ା ଅଶୋକ ଜମି କିଣାଇଦେବାକୁ କହି ୩ ଟି ପର୍ଯ୍ୟାୟରେ ଉଷାରାଣୀଙ୍କ ଠାରୁ ମୋଟ ୮ ଲକ୍ଷ ଟଙ୍କା ନେଇଥିଲେ ା ଏ ନେଇ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ହେବା ସହ ପଞ୍ଜିକରଣ ଜୁଲାଇ ୧୨ ତାରିଖରେ ପଞ୍ଜିକରଣ ହେବ ବୋଲି କହିଥିଲେ ା ହେଲେ ଉଷାରାଣୀ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟରେ ପହଞ୍ଚିଥିଲେ ମଧ୍ୟ ଜମି ପଞ୍ଜିକରଣ ହୋଇନଥିଲା ା ଏ ନେଇ ଉଷାରାଣୀ ଖୋଳତାଡ କରିବା ପରେ ସେ ଠକେଇର ଶିକାର ହୋଇଥିବ ଜାଣିବାକୁ ପାଇଥିଲେ ା ଆଉ ଅଶୋକଙ୍କୁ ଫୋନ କରି ତାଙ୍କ ଟଙ୍କା ଫେରାଇ ଦେବାକୁ କହିଥିଲେ ା ଏହାପରେ ୧ ମାସ ଭିତରେ ଟଙ୍କା ଫେରାଇ ଦେବେ ବୋଲି ଅଶୋକ ପ୍ରତିଶ୍ରୁତି ଦେଇଥିଲେ ା ଆଉ ପରବର୍ତ୍ତୀ ସମୟରେ ଉଷାରାଣୀଙ୍କ ଫୋନକୁ ବ୍ଲକ କରି ଦେଇଥିଲେ ା ଘଟଣାକୁ ନେଇ ଉଷାରାଣୀ ନିମଖଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ା ସେହିପରି ହାଇଦ୍ରବାଦରେ ରହୁଥିବା ହିଞ୍ଜିଳିକାଟୁ ବଇଁଚବଣିଆର ମହିଳା ପୁଷ୍ପାଞ୍ଜଳି ବିଶ୍ବାଳ ମଧ୍ୟ ଅଭିଯୁକ୍ତ ଅଶୋକଙ୍କ ଦ୍ବାରା ସମାନ ଢଙ୍ଗରେ ଠକେଇର ଶିକାର ହୋଇଥିଲେ ା ଅଶୋକ ଜମି ଦେବାକୁ କହି ତାଙ୍କ ଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ଠକି ନେଇଛନ୍ତି ା ଏ ନେଇ ସେ ମଧ୍ୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଅଶୋକଙ୍କୁ କାବୁ କରିଥିଲା