ବ୍ରହ୍ମପୁର , ୪/୧- ରେଳବାଇରେ ଚାକିରି ଦେବା ନା’ରେ ଜଣେ ଯୁବକଙ୍କ ଠାରୁ ସାଢ଼େ ୭ଲକ୍ଷ ଟଙ୍କା ଠକେଇ ଘଟଣାର ଅଭିଯୁକ୍ତ ଯୁବତୀଙ୍କୁ ଟାଉନ ଥାନା ପୋଲିସ ଆଜି ଇଂଜିନିଏରିଂ ସ୍କୁଲ ଛକରୁ କାବୁ କରିଛି। ଯୁବତୀ ଜଣଙ୍କ ହେଲେ ଜଗତସିଂହପୁରର ଜେଏମ୍ଏସ୍.ପ୍ରଭା(୨୮)। ସେ ବର୍ତ୍ତମାନ ଶରଧାବାଲି ରହୁଥିଲା। ମାମଲା ନମ୍ବର ୬/୨୩ରେ ଯୁବତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, ସୋରଡ଼ା ଥାନା ଗୋବିନ୍ଦପୁର ଅଂଚଳର ଏସ୍.ହିତେଶ ପାତ୍ର (୨୫) ନାମକ ଜଣେ ଯୁବକ ଚାକିରି ପାଇଁ ଇଛୁକ ଥିଲେ। ଗତ ଜୁନ୍ ମାସରେ ସେ ରେଳବାଇରେ ଚାକିରି କରାଇଦେଉଥିବା ଅଭିଯୁକ୍ତ ମହିଳା ସମ୍ପର୍କରେ ତା’ର ଜଣେ ସାଙ୍ଗ କାର୍ତ୍ତିକ ସାହୁ ତାଙ୍କୁ କହିଥିଲେ। ଏପରିକି ଫୋନ୍ ଜରିଆରେ ପ୍ରଥମେ ଅଭିଯୁକ୍ତ ପ୍ରଭା ସହ କଥା କରାଇ ଦେଇଥିଲା। ଗ୍ରୁପ୍-ସି ଚାକିରି ପାଇଁ ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଯୁବତୀ ଜଣଙ୍କ କହିବା ସହ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଆଣି ଦେବାକୁ କହିଥିଲା। ହିତେଶ ବ୍ରହ୍ମପୁର ଆସି ଟାଉନ ଥାନା ଅନ୍ତର୍ଗତ ଗାନ୍ଧିନଗରସାଇ କମ୍ପ୍ଲେକ୍ସ ନିକଟରେ ଅଭିଯୁକ୍ତ ଯୁବତୀଙ୍କୁ ଭେଟି ଦାବି ମୁତାବକ ପ୍ରଥମେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିଲେ। ପରେ ଆଉ ଦୁଇ ଥର ଅନ୍ଲାଇନ୍ ମାଧ୍ୟମରେ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ପଠାଇଥିଲା। ହିତେଶ୍ ଏଭଳି ମୋଟ ସାଢ଼େ୭ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ତାଙ୍କୁ ଜାଲ୍ ଅଫର୍ଲେଟର୍, ଆଇଡି କାର୍ଡ଼, ଆପଏଣ୍ଟମେଣ୍ଟ ଲେଟର୍, ଆଟେଣ୍ଡାନ୍ସ କାର୍ଡ଼ ଆଦି ଦେଇ ଅଭିଯୁକ୍ତ ବଳକା ସାଢ଼େ ତିନିଲକ୍ଷ ଟଙ୍କା ମାଗିଥିଲା। ତେବେ ହିତେଶ୍ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲା। ବଳକା ଟଙ୍କା ଦେବା ପାଇଁ ହିତେଶଙ୍କ ଜରିଆରେ ଡକାଇଥିଲା। ଯୁବତୀ ଜଣଙ୍କ ଇଂଜିନିୟରିଂ ସ୍କୁଲ ଛକକୁ ଟଙ୍କା ନେବାକୁ ଆସିବା ପରେ ପୋଲିସ ତା’କୁ କାବୁ କରି ନେଇଥିଲା। ସମସ୍ତ ଜାଲ୍ କାଗଜପତ୍ର ଜବତ କରିବା ସହ ତା’ଠାରୁ ମୋବାଇଲ୍ ପୋନ୍, ସ୍କୁଟି ସହ ତିନିଟି ଡାଏରି ଜବତ କରିଛି। ସେହି ଡାଏରିରେ ଚାକିରି ଦେବାପାଇଁ କାହା ଠାରୁ କେତେ ଟଙ୍କା ଆଦାୟ ହୋଇଛି ତାହା ଲେଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।