Odisha news

ବିଶ୍ବାସ

0
ସୁଦର୍ଶନ ମହାପାତ୍ର, : ଦୁଇ ଦିନ ପରେ ବାହାଘର।ଶୁଭା ମନରେ ଖୁସି ନାହିଁ। ସତ୍ୟର ଭଲ ପାଇବାକୁ ଅଗ୍ରାହ୍ଯ କରି ସେ ଅନ୍ୟ କେଉଁଠି ବାହା ହେବାକୁ ଚାହେଁନା ବୋଲି କହି ସାରିଥିଲେ ବି ଘରେ ତା’ କଥା ଶୁଣିବାକୁ କେହି ବି ପ୍ରସ୍ତୁତ ନୁହଁନ୍ତି । ସତ୍ୟ ପାଖରେ ବହୁତ ପଇସା ନଥିଲେ ବି ଖୁବ୍ ଉତ୍ତମ ସ୍ୱଭାବର। ଏପର୍ଯ୍ୟନ୍ତ ଚାକିରୀ ନପାଇଥିଲେ ବି ଦିନେ ନା ଦିନେ ସେତକ ଯୋଗାଡ କରିଦେବ ବୋଲି ଶୁଭାର ଅଖଣ୍ଡ ବିଶ୍ବାସ ।
ସତ୍ୟ ସହିତ ପ୍ରଥମେ ଦେଖା ହୋଇଥିଲା ମନ୍ଦିର ପାଖରେ। ଦୀପଟିଏ କିଣିବାକୁ ଖୁଚୁରା ଟଙ୍କା ନେଇ ଦୋକାନୀ ସହିତ ଶୁଭାର ବାର୍ତ୍ତାଳାପ ରୁ ସବୁକଥା ବୁଝିପାରି, ଦୋକାନୀକୁ ନିଜ ଆଡୁ ଦୁଇଟି ଦୀପର ପଇସା ଦେଇ ସେଥିରୁ ଗୋଟିଏ ହସି ହସି ଶୁଭା ହାତକୁ ବଢାଇ ଦେଲା। ଏମିତି ଏକ ପରିସ୍ଥିତିରେ କ’ଣ କରିବ ବୋଲି ଥତମତ ହେଲା ଶୁଭା।-“ମୁଁ ଜାଣେ ଅନ୍ୟ କାହା ପଇସାରେ ଦୀପ କିମ୍ବା ଭୋଗ ଲଗା ଯାଏନା। ପର ସୋମବାର ଦିନ ମୋର ପାଉଣା ଫେରେଇ ଦେବ, ହେଲା ‌”।ଶୁଭା କିଛି କହିବା ପୂର୍ବରୁ ସମସ୍ୟାର ସମାଧାନ କରିଦେଲା ସତ୍ୟ। ମନ୍ଦିରରୁ ବାହାରିଲା ବେଳକୁ ସ୍ତ୍ରୀ ଲୋକଟିଏ ସତ୍ୟ ବାଇକ୍ ପଛରେ ବସି ଯାଉଥିବାର ଶୁଭା ନଜରରେ ପଡିଲା।
ସତକୁ ସତ ପର ସୋମବାର ଦିନ ମନ୍ଦିର ପାଖ କନିଅର ଗଛ ମୂଳେ ସତ୍ୟକୁ ଆବିଷ୍କାର କଲା ଶୁଭା। ପଇସା ଫେରେଇ ବାକୁ ହାତ ବଢାଇବା ବେଳକୁ ” ଆରେ, ମୁଁ ଦୀପ ଦେଇଥିଲି, ମୋତେ ଦୀପ ଫେରେଇବ। ହଁ, ମୋ ନାଁ ସତ୍ୟ। ସତ୍ୟ ସ୍ବରୂପ ମିଶ୍ର” ହସି ହସି କହିଥିଲା ଖୁବ୍ ସାବଲୀଳ ଭାବରେ।       -“ଆଛା ସତ୍ୟ ବାବୁ,ସେଦିନ ଆପଣଙ୍କ ଗାଡ଼ିରେ କ’ଣ ଭାଉଜ ବସିଥିଲେ ? ଆଜି ଆସି ନାହାନ୍ତି କି !”
-” ହଁ, ଠିକ୍ କହିଛ। ସେ ମୋ ଭାଉଜ। ଆଜି ଆସି ନାହାନ୍ତି।” ଶୁଭାକୁ ଉତ୍ତର ଫେରେଇଲା ସତ୍ୟ। ସେଇଠୁ ସେମାନେ ପରସ୍ପର ବିଷୟରେ କିଛି ଆଳାପ ଆଲୋଚନା କଲେ । କ୍ରମେ ସେମାନଙ୍କ ମଧ୍ୟରେ ଆହୁରି ଅନ୍ତରଙ୍ଗତା ବଢ଼ି ଯାଇଥିଲା। କେତେ ଥର ଶୁଭାକୁ ବାଇକ୍ ରେ ବସେଇ ଘରଠାରୁ ଅଳ୍ପ ଦୂରରେ ଛାଡି ଆସିଛି ସତ୍ୟ। ହେଲେ କେବେ ବି ଶୁଭା ଦେହକୁ ଅଯଥା ଛୁଇଁବାକୁ ଚେଷ୍ଟା କରିନି । ଖୁବ୍ ସୁଧାର ଏବଂ ସଞ୍ଜତ ସେ।ଶୁଭା ମନକୁ ଦିନକୁ ଦିନ ଆବିଷ୍ଟ କରି ରଖିଲା ସତ୍ୟର କଥାବାର୍ତ୍ତା ଏବଂ ବ୍ୟବହାର କହିଲେ ଅତ୍ୟୁକ୍ତି ହେବ ନାହିଁ। ତା ପ୍ରତି ଖୁବ୍ ବିଶ୍ବାସ ଏବଂ ଭରସା ଆସି ଯାଇଥିଲା ଶୁଭା ମନରେ।
ପ୍ରଭା ଦିଦିର ଡାକରେ ଶୁଭା ଭାବନା ରାଜ୍ଯରୁ ଫେରି ଆସିଲା। ” ଆ, ଗହଣା ସବୁ ଦେଖିବୁ ଶୁଭା” । ଦିଦିର ସ୍ବର ଶୁଭୁଥିଲା ଆର ଘରୁ। କେତେ ଦିନ ଆଗରୁ ଶାଶୁଘରୁ ଆସି ମା ସହିତ ମିଶି ଶୁଭା ବାହାଘର ପାଇଁ ଲାଗି ପଡିଛି ଏଇ ଦିଦି। ଶୋଭା ଶୋଇଥବାର ଛଳନା କରି ବିଛଣାରେ ସେମିତି ପଡି ରହିଲା। ଗହଣା ଦେଖିବାକୁ ତା ମନରେ ସରାଗ ନାହିଁ। ହଠାତ୍ ମୁଣ୍ଡରେ ବୁଦ୍ଧିଟିଏ ଉଙ୍କି ମାରିଲା। ସତ୍ୟକୁ ଫୋନ୍ ଲଗାଇଲା।-” ଶୁଣ, ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ। ତୁମେ କହୁଥିଲ ନା ପଇସା କିଛି ଯୋଗାଡ କଲେ  ହାତଛଡ଼ା ହୋଇ ଯାଉଥିବା ଚାକିରି ତୁମର ହୋଇଯିବ ବୋଲି । ତୁମ ପ୍ରତି ମୋର ଅଗାଧ ବିଶ୍ବାସ ଅଛି।ବାହାଘର ପାଇଁ କିଣା ହୋଇଥିବା ଗହଣା ସବୁ ଆଉ ପଇସା କିଛି ଧରି କାଲି ସକାଳୁ ମନ୍ଦିର ପାଖରେ ପହଞ୍ଚିବି। ଆମେ କେଉଁଆଡେ ପଳେଇବା। ନହେଲେ ସେମାନେ ମୋ ବାହାଘର କରାଇ ଦେବେ। ପ୍ଲିଜ, ନିଶ୍ଚୟ ଆସିବ !”
” ହେଉ ତୁମର ଯାହା ଇଚ୍ଛା !” ଶୁଭିଥିଲା ସତ୍ୟର ଭିଜିଲା ସ୍ବର।
ପରଦିନ ସକାଳକୁ ସତ୍ୟ ଆଗତୁରା ଆସି ମନ୍ଦିର ପାଖରେ ଠିଆ ହୋଇଥିଲା।ଶୁଭା ହାତରୁ ବ୍ୟାଗଟିକୁ ନେଇ ଗାଡ଼ି ପାଖକୁ ଆସିଲା।-” ଶୁଭା ! ତୁମର ସୁଭବିଷ୍ୟତ ପାଇଁ ଠାକୁରଙ୍କୁ କିଛି ଯାଚନା କରିବନି ! ଆଶିର୍ବାଦ ନେବନି ?” ଏଇ ଘଡିସନ୍ଧି ମୂହୁର୍ତ୍ତରେ ବି ସତ୍ୟ କଥାରେ ଶୁଭା ଟିକେ ହସିଲା। ମନ୍ଦିର ଆଡକୁ ପାଦ ବଢେଇ ଶୁଭା ମନେ ମନେ ଭାବୁଥିଲା ସତରେ ଏବେ ସେଇ ଠାକୁର ହିଁ ଏକମାତ୍ର ଭରସା । ମନ୍ଦିରରୁ ବାହାରି ଶୁଭା ଦେଖିଲା ସତ୍ୟ ସେ ଜାଗାରେ ନାହିଁ ହେଲେ ଗୋଟିଏ କଡକୁ ତା’ର ଖୋଲା ବ୍ୟାଗଟା ପଡିଛି। ଗହଣା ଆଉ ଟଙ୍କା ଛଡା ବ୍ୟାଗରେ ସବୁ ଜିନିଷ ସେମିତି ରହିଛି। ମୁଣ୍ଡରେ ହାତ ଦେଇ ଲଥ କରି ବସି ପଡିଲା ସେଇଠି। ଏମିତି ଅଧଘଣ୍ଟାଏ ବିତିଗଲା। ଏବେ କ’ଣ କରିବ ସେ !
ଭାଗ୍ୟକୁ ତା ଭେନିଟ ବ୍ଯାଗରେ ମୋବାଇଲ ଆଉ ଟଙ୍କା କିଛି ରହି ଯାଇଥିଲା। ଫୋନ୍ କରିବାକୁ ଚେଷ୍ଟା କଲା। ଆଶାନୁଯାୟୀ ସତ୍ୟର ଫୋନ୍ ସୁଇଚ ଅଫ୍ ଅଛି। ରିକ୍ସାଟିଏ ନେଇ ଥରେ ଦୂରରୁ ସତ୍ୟ ଦେଖାଇ ଥିବା ତାଙ୍କ ଘରକୁ ଖୋଜିବାକୁ ଗଲା।ସେଇଠି ପହଞ୍ଚି ସତ୍ୟ ସହ ସେଲଫି ନେଇଥିବା ଫଟୋରୁ ସତ୍ୟକୁ ଏବଂ ତାଙ୍କ ଘରକୁ ଆବିଷ୍କାର କରିବାକୁ ଚେଷ୍ଟା କଲା। ଶେଷରେ ସେ ସଫଳ ବି ହେଲା। ହେଲେ ସତ୍ୟ ନିଜ ଘର ନୁହେଁ , ଭଡାଘରେ ରହୁଥିଲା ବୋଲି ଲୋକ ମାନଙ୍କ ଠାରୁ ଜାଣିଲା। ତଥାପି ତା ମନରେ ଆଶାର କିରଣ ଟିଏ ଯେମିତି ଉଙ୍କି ମାରିଲା। ସେତେବେଳକୁ ସୂର୍ଯ୍ୟ ବି ଚାରିଆଡେ ତୋଫା ଆଲୁଅ ବିଛେଇ ଦେଲେଣି।
ଠିକ୍ ଜାଗାରେ ପହଞ୍ଚି ଦେଖିଲା ସେ ଘରେ ତାଲା ଝୁଲୁଛି।ଘର ମାଲିକଙ୍କୁ ଭେଟି ସତ୍ୟ ବିଷୟରେ ପଚାରିଲା। ଏଇ ଟିକିଏ ଆଗରୁ ବାକି ଥିବା ଦୁଇ ମାସର ଘରଭଡା ଟଙ୍କା ଦେଇ ଘର ଛାଡି ସସ୍ତ୍ରୀକ କେଉଁଆଡେ ଚାଲି ଯାଇଛନ୍ତି ବୋଲି ଜାଣିବାକୁ ପାଇଲା। ଶୁଭା ଭଙ୍ଗାମନ ନେଇ ରିକ୍ସାରେ ବସିଲା।-” ଭାଗ୍ୟ ଭଲ ତୋ ଜୀବନ ସମ୍ପୁର୍ଣ୍ଣ ନଷ୍ଟ କରିନି ସେ ବଦମାସ୍। ଝିଅ ସାବଧାନ ଥିବୁ । ଆଗରୁ ଜଣେ ଦୁଇ ଜଣ ଝିଅ ଏଇଠୁ କାନ୍ଦି କାନ୍ଦି ଫେରିଛନ୍ତି।” ପଛରୁ ଶୁଭିଲା ଘର ମାଲିକଙ୍କ ସ୍ବର।ତା ସାମ୍ନାରେ ଏବେ ସେଇ ବିଧବା ମା’ର ପଣତ ହିଁ ପତିତପାବନ ବାନା ହୋଇ ଅଭିପ୍ରେତ ହେଲା। କାଲି ସକାଳୁ ବାହାଘର।ମାଆର ହୃଦୟ ତାକୁ କ୍ଷମା କରିଦେବ ବୋଲି ଶୁଭାର ଆଶା ଓ ବିଶ୍ୱାସ ଥିଲା
Leave A Reply