ବାରିପଦା : ସଂପ୍ରତି ଇସ୍ରାଏଲର ଗାଜା ଆକ୍ରମଣ ହେତୁ ଲୋହିତ ସାଗରରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ଲୋହିତ ସଗର ପଥ ଦେଇ ବିଶ୍ୱର ଅଧିକାଂଶ ଦେଶର ତୈଳବାହୀ ଜାହାଜ ସମେତ ଅନ୍ୟାନ୍ୟ ପଣ୍ୟବାହୀ ଜାହାଜ ଯାତାୟତ କରିଥାଏ । ଏହି ପଥଦେଇ ଭାରତର ପଣ୍ୟବାହୀ ଜାହାଜ ସବୁ ମଧ୍ୟ ଯାତାୟାତ କରିଥାଏ । ଏହି ଜାହାଜ ସବୁକୁ ସୁରକ୍ଷା ଦେବାପାଇଁ ଭାରତୀୟ ନୌବାହିନୀ ସେ ଅଞ୍ଚଳରେ ଅନେକ ଦିନରୁ ପଇଁତରା ମାରୁଛନ୍ତି । ଗତ ୬ତାରିଖ ଦିନ ସିରିଆର ହାଉତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ କ୍ଷତିଗ୍ରସ୍ତ ହେଲା ତାଇୱାନର ଏକ ପଣ୍ୟବାହୀ ଜାହାଜ “ଟ୍ରୁ କନ୍ଫିଡେନସ’ ନାମକ ଏହି ଜାହାଜରେ ୨୧ଜଣ ନୌ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଥିଲେ । କ୍ଷେପଣାସ୍ତ୍ର ମାଡ଼ରେ ଜଣେ ନାବିକର ମୃତୁ୍ୟହେବା ସହ ବାକି ଅନ୍ୟମାନେ ସାଂଘାତିକ ଭାବରେ ଆହତ ହେଲେ । ସେମାନଙ୍କୁ ଭାରତୀୟ ନୌସେନାର ଏକ ଯୁଦ୍ଧତରୀ ଉଦ୍ଧାର କଲା । ସେହି ଜାହାଜର ଏକମାତ୍ର ଡାକ୍ତର ଭାବରେ ନିଯୁକ୍ତ ଥିଲେ ବାରିପଦାର ଝିଅ ସର୍ଜନ କମାଣ୍ଡର ଅନନ୍ୟା ଦଳବେହେରା । ଜଣେ ମାତ୍ର ଡାକ୍ତରୀ ସହାୟକଙ୍କ ସହଯୋଗରେ ଅନନ୍ୟା ରାତି ତମାମ ଚିକିତ୍ସା କରି ସମସ୍ତ ଆହତଙ୍କୁ ବଞ୍ଚାଇ ପାରିଛନ୍ତି । ବଡକଥା ହେଲା ଆହତଙ୍କ ମଧ୍ୟରୁ ତିନିଜଣ ଅତି ସାଂଘାତିକ ଥିଲେ, ଯେଉଁମାନଙ୍କ ବଞ୍ଚିବା ଆଶା କମ ଥିଲା । ସେମାନଙ୍କୁ ବଞ୍ଚାଇ ପାରିଥିବାରୁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ଅଳ୍ପ ବୟସରେ ଏତେ ବଡ଼ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିବାରୁ ସେ ମଧ୍ୟ ଆତ୍ମତୃପ୍ତି ଲାଭ କରିଛନ୍ତି ବୋଲି ତାଙ୍କ ପିତା ବିଶିଷ୍ଟ ସାହିତି୍ୟକ ମନୋଜ ଦଳବେହେରା ପ୍ରକାଶ କରନ୍ତି । ପ୍ରକାଶ ଥାଉକି, କ୍ଷତିଗ୍ରସ୍ତ ଜାହାଜର ଭାରତୀୟ ନାଗରିକ ଏବେ ସୁସ୍ଥ ଅଛନ୍ତି ।