Odisha news

ତତ୍ତ୍ୱମସି ପ୍ରତିଷ୍ଠାନର ଉଦୟାବର୍ତ୍ତ ଓ ସମ୍ୱର୍ଦ୍ଧନା ଉତ୍ସବ ପାଳିତ

0

ବାରିପଦା  : ମୟୂରଭଂଜ ଜିଲ୍ଲାର ବାରିପଦାସ୍ଥ ଶ୍ରୀମା ମହିଳା ମହାବିଦ୍ୟାଳୟର ସଭାଗୃହରେ ସାହିତ୍ୟ-ସେବା-ସାଧୁତାର ବାର୍ତ୍ତାବହ “ତତ୍ତ୍ୱମସି ପ୍ରତିଷ୍ଠାନ”ର ପ୍ରଥମ “ଉଦୟାବର୍ତ୍ତ” (ସ୍ୱନକ୍ଷତ୍ର+ବାର୍ଷିକ) ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରତିଷ୍ଠାନର ସହ-ସମ୍ପାଦକ ଡଃ ପ୍ରଭାତ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିବା ସଙ୍ଗେ ସଙ୍ଗେ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସଭାପତି ଆଶିଷ କୁମାର ବଶା ପୌରୋହିତ୍ୟ କରିଥିବାବେଳେ ବିଶିଷ୍ଟ ସାହିତି୍ୟକା ଡଃ ପଦ୍ମଶ୍ରୀ ଦାସ ମୁଖ୍ୟଅତିଥି, ବରିଷ୍ଠ କବି ଡଃ ନୀଳକଣ୍ଠ ମିଶ୍ର ମୁଖ୍ୟବକ୍ତା, ସୀମାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ମୋହିନୀ ମୋହନ ମାଇତି ସମ୍ମାନିତ ଅତିଥି, ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ଅବସରପ୍ରାପ୍ତା ପ୍ରାଧ୍ୟାପିକା ଉଷା ଶତପଥୀ ଅନ୍ୟତମ ସମ୍ମାନିତା ଅତିଥି, ଅଧ୍ୟକ୍ଷ ନଟବର ଗିରି ବିଶେଷ ସମ୍ମାନିତ ଅତିଥି, ବିଶିଷ୍ଟ ସମାଜସେବୀ ରେଭେନ୍ସା ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଆଜନ୍ମଦୃଷ୍ଟିହୀନ ଡଃ କେଦାରନାଥ ସାହୁ ପ୍ରମୁଖବକ୍ତା ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ପଲେଇ ପୁସ୍ତକ ସମୀକ୍ଷକ ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାନର ସମ୍ପାଦକ ସାରସ୍ୱତ ସାଧକ ରାଜେନ୍ଦ୍ର ସାମଲ ତତ୍ତ୍ୱମସି ପ୍ରତିଷ୍ଠାନର ଜନ୍ମ, ଉଦେ୍ଦଶ୍ୟ ଓ ସଂକଳ୍ପ ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଅନ୍ୟଅତିଥି ମାନଙ୍କ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀଜଗନ୍ନାଥଙ୍କୁ ଧୂପପୁଷ୍ପ ପ୍ରଦାନ କରି ଉତ୍ସବକୁ ଉଦ୍ଘାଟିତ କରିଥିଲା ବେଳେ ଡଃ ସଂଜୀବ୍ ପାଣିଗ୍ରାହୀ ମଙ୍ଗଳପାଠ କରିଥିଲେ । ପ୍ରତିଷ୍ଠାନର ଉପସଭାପତି ଡଃ ବିଚିତ୍ରନାଥ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସୁଶ୍ରୀ ପ୍ରଜେକ୍ତା ଓ ଲାଡଲୀ ପ୍ରତିଷ୍ଠାନର ସ୍ତୁତି-ସଂଗୀତ ଗାନ କରିଥିଲେ । ଅତିଥିମାନେ ସେମାନଙ୍କର ବକ୍ତବ୍ୟରେ ସମ୍ପ୍ରତି ସମାଜରେ ସାହିତ୍ୟ, ସେବା, ସାଧୁତା, ଆଧ୍ୟାତ୍ମିକତା ଓ ନୈତିକତାର ଘୋର ଅବକ୍ଷୟ କାଳରେ “ତତ୍ତ୍ୱମସି ପ୍ରତିଷ୍ଠାନ” ପରି ଅନୁଷ୍ଠାନର ପ୍ରତିଷ୍ଠା ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିବା ସଂଗେ ସଂଗେ ପ୍ରତିଷ୍ଠାତାଂକର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଦର୍ପଣ’ ଓ ରାଜେନ୍ଦ୍ର ସାମଲଙ୍କ ଗଳ୍ପ ପୁସ୍ତକ ‘କରୋନା କାରୁଣ୍ୟ’ ର ଲୋକାର୍ପଣ କରିଥିଲେ । ଗଳ୍ପ ପୁସ୍ତକର ବିଷଦ ସମୀକ୍ଷା କରି ସମୀକ୍ଷକ କହିଥିଲେ ଯେ ‘କରୋନା କାରୁଣ୍ୟ’ ବିଶ୍ୱ ମହାମାରୀ କରୋନାର ନିଛକ କରୁଣ କାହାଣୀକୁ ଗଳ୍ପ ଶୈଳୀରେ ଧାରଣ କରିଥିବା ଏକ ଐତିହାସିକ ଗଳ୍ପ ପୁସ୍ତକ ଓ ଏହା ଭବିଷ୍ୟତ ବଂଶଧର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ହୋଇ ରହିବ । ଏହି ଉତ୍ସବରେ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଡଃ ନୀଳକଣ୍ଠ ମିଶ୍ରଙ୍କୁ ‘ତତ୍ତ୍ୱମସି ସାହିତ୍ୟ ସମ୍ମାନ’, ସେବା ପାଇଁ ଡଃ କେଦାରନାଥ ସାହୁଙ୍ୁ ‘ତତ୍ତ୍ୱମସି ସେବା ସମ୍ମାନ’ ଓ ସାଧୁତା ପାଇଁ ଡଃ ମୋହିନୀ ମୋହନ ମାଇତିଙ୍କୁ ‘ତତ୍ତ୍ୱମସି ସାଧୁତା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଫଳକ ଦେଇ ଅନୁଷ୍ଠାନ ତରଫରୁ ମୁଖ୍ୟଅତିଥି ସମ୍ୱର୍ଦ୍ଧିତ କରିଥିଲେ । ଡଃ ପଙ୍କଜ କୁମାର ମାହାନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ଲେଖକ, ଲେଖିକା, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Nalco
Leave A Reply