ବାରିପଦା : ବାରିପଦା ସଦର ଥାନା ଅଞ୍ଚଳର ବିଭିନ୍ନ ଗୋଦାମରୁ ଲଗାତାର ଗ୍ୟାସ ସିଲିଣ୍ଡର ଚୋରି ହେବା ଘଟଣାର ପର୍ଦ୍ଦାଫାଶ କରିଛି ସଦର ପୋଲିସ । ଏନେଇ ବାରିପଦା ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡିପିଓ ସୁଜିତ୍ ପ୍ରଧାନ ଓ ବାରିପଦା ସଦର ଥାନା ଆଇଆଇସି ମଧୁମିତା ମହାନ୍ତି ଯୋଗଦେଇ ସିଲିଣ୍ଡର ଚୋରି ଘଟଣା ସମ୍ବନ୍ଧରେ ସୂଚନା ଦେବା ସହ ୧୮ଟି ଗ୍ୟାସ ସିଲିଣ୍ଡର, ଦୁଇଟି ଚାରିଚକିଆ ଯାନ, ୬ଟି ମୋବାଇଲ ସହ ଚୋରି ଘଟଣା ସମ୍ପୃକ୍ତ ୮ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ, ବାରିପଦା ସଦର ଥାନା ଅନ୍ତର୍ଗତ ଧନପୁର ଅଞ୍ଚଳରେ ସର୍ଦ୍ଦାର ପ୍ରସାଦ ମହାନ୍ତ ବିଭିନ୍ନ ଗୋଦାମ ଗୃହରୁ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ବାରିପଦା ସଦର ଥାନାରେ ଅଭିଯୋଗ କରିଥିଲେ । ଏ ଘଟଣାର ତଦନ୍ତ କରି ପୋଲିସ ଏହି ଚୋର ମାନଙ୍କୁ ଠାବ କରିଥିଲେ ଏବଂ ସେମାନଙ୍କ ନିକଟରୁ ଚୋରି ସିଲିଣ୍ଡର ଜବତ କରିଥିଲେ । ଅଭିଯୁକ୍ତ ମାନେ ହେଲେ ଶକ୍ତି ପାଣି(୨୮), ଅଜୟ କୁମାର ବେହେରା(୨୨), ସିପୁ ସିଂ(୨୭), ସୌମ୍ୟ ରଞ୍ଜନ ପାଣି(୨୫), ଉମାଶଙ୍କର ନାଏକ(୨୫), ନିର୍ମଳା ଗୋଚ୍ଛାୟତ(୨୭), ରାଜ୍ ନାରାୟଣ ପାଣିଗ୍ରାହୀ(୫୦), ସଣ୍ଟୁ ଚୌହାନ୍(୩୬) । ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ୫ଜଣ ସିଲିଣ୍ଡର ଚୋରି କରିଥିବାବେଳେ ଅନ୍ୟ ତିନିଜଣ ଏମାନଙ୍କ ନିକଟରୁ ଚୋରି ସିଲିଣ୍ଡର କିଣିଥିଲେ । ପୂର୍ବରୁ ଏହି ଅଭିଯୁକ୍ତଙ୍କ ନାମରେ ବଡସାହି ଥାନା, ବିଶୋଇ ଥାନା ଓ କୁଳିଅଣା ଥାନାରେ ବିଭିନ୍ନ ମାମଲା ଥିବା ଜଣାଯାଇଛି ।