ବାରିପଦା : ବାରିପଦା ପୌରପରିଷଦର ପୂର୍ବତନ ନଗରପାଳ ରାଜ୍ ଶିବ ନାରାୟଣ କିସ୍କୁଙ୍କ ୪୭ବର୍ଷ ବୟସରେ ଅକାଳ ବିୟୋଗ ହୋଇଯାଇଛି । ଗତ କିଛିଦିନ ଧରି ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିସôା କରାଯାଉଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ବାରିପଦା ସହରରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପୀ, ପରପୋକାରୀ ଓ ମିଷ୍ଟଭାଷୀ ଯୁବକ ଭାବେ ସବୁରୀ ମହଲରେ ପରିଚିତ ଥିଲେ । ରାଜ୍ ଶିବ ନରାୟଣ କିସ୍କୁ ୨୦୦୯ ମସିହାରେ କାଉନ୍ସିଲର ଭାବେ ପ୍ରଥମଥର ପାଇଁ ନିର୍ବାଚିତ ହୋଇ ବିଜୁ ଜନତା ଦଳର ପ୍ରଥମ ନଗରପାଳ ଭାବେ ବାରିପଦା ପୌରପରିଷଦ ନଗରପାଳ ପଦ ଅଳଙ୍କୃତ କରିବା ସହ ବାରିପଦା ସହରକୁ ସବୁଜ ସୁନ୍ଦର ଭାବେ ଗଢିତୋଳିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । ସେ ୨୦୦୯ ମସିହା ଫେବୃଆରୀ ୧୩ତାରିଖ ରୁ ୨୦୧୪ ମିସହା ଫେବୃଆରୀ ୧୨ତାରିଖ ପର୍ଯ୍ୟନ୍ତ ବାରିପଦା ନଗରପାଳ ଭାବରେ କାର୍ଯ୍ୟ କରିଥିଲେ । ବାରିପଦା ସ୍ଥିତ ତାଙ୍କ ବାସଭବନରେ ମରଶରୀର ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାଧାରଣ ଜନତା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।