ବାରିପଦା : ଆସନ୍ତା ମଇ ୨୫ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ରାଜ୍ୟର ତୃତୀୟ ଏବଂ ଦେଶର ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବ ଏବଂ ଜିଲ୍ଲାରେ ସପ୍ତମ ପର୍ଯ୍ୟାୟରେ ଜୁନ ୧ରେ ମତଦାନ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏବଂ ନିର୍ବାଚନରେ ହେବାକୁ ଥିବା ଖର୍ଚ୍ଚ ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୃହରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାତୀୟ ଏବଂ ରାଜ୍ୟର ବିଭିନ୍ନ ରାଜନୈତିକ ଦଳମାନଙ୍କର ମୁଖପାତ୍ର ଏବଂ ପ୍ରତିନିଧି ମାନେ ଆସି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଭୋଟରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନିର୍ବାଚନ ପ୍ରଚାରରେ ବ୍ୟବହୃତ ଯାନବାହାନ, ବିଭିନ୍ନ ପ୍ରଚାର ପ୍ରସାର ମାଧ୍ୟମ, ଫଟୋଗ୍ରାଫି, ଭିଡିଓଗ୍ରାଫି ଏହି ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଶ୍ରୀ ମହାପାତ୍ର ସମସ୍ତ ରାଜନୈତିକ ଦଳ ଏବଂ ନିର୍ବାଚନରେ ହେବାକୁ ଥିବା ଖର୍ଚ୍ଚର ଅବଧି ଏବଂ ଖର୍ଚ୍ଚର ସଠିକ ହିସାବ ବିଷୟରେ ଏବଂ ପ୍ରଚାରରେ ଲାଗିବାକୁ ଥିବା ସମସ୍ତ ଜିନିଷ ପତ୍ରର ଅନୁକ୍ରମଙ୍କ ବିଷୟରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ନିର୍ବାଚନ ଦୁର୍ନୀତି ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଠୋର ପଦକ୍ଷେପ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା । ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନିର୍ବାଚନକୁ ସଫଳ କରିବା ପାଇଁ ପ୍ରଶାସନ ଏବଂ ରାଜନୈତିକ ଦଳ ମଧ୍ୟରେ ସହୟୋଗର ମହତ୍ତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ବଜାୟ ରଖିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ବାରିପଦା ମୁ୍ୟନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଆଞ୍ଚଳିକ ପରିବହନ ଅଧିକାରୀ, ବିସ୍ୱରାଜ ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ନାଏକ ଓ କୋଷାଧ୍ୟକ୍ଷ ଅଧିକାରୀ ଆର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
