ବାରିପଦା : ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ନିଷ୍ଠାବାନ ବିଦ୍ୟାର୍ଥୀ ଓ ଶିକ୍ଷକ ଗବେଷକଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି ସ୍ଥାନୀୟ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଭିନବ ବିଦ୍ୟାର୍ଥୀ ଓ ଗବେଷକଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ସାହୁ ଏଭଳି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଲେ ଯେ ନୂଆ ଚିନ୍ତନ, ନୂଆ ଗବେଷଣା ସବୁବେଳେ ଏକ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ବାରିପଦା ଏକ ଛୋଟ ସହର ହେଲେ ମଧ୍ୟ ଏମ୍ପିସି କଲେଜର ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ଗବେଷଣା କାର୍ଯ୍ୟ ଅନେକ ବଡ଼ ଶିକ୍ଷାନୁଷ୍ଠାନର ଦୃଷ୍ଟି ଆକର୍ଷଣ କରିଛି । ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ଯେକୌଣସି କ୍ଷେତ୍ରରେ ସଫଳତାର ମୂଳମନ୍ତ୍ର ବୋଲି ପ୍ରଫେସର ସାହୁ ନିଜ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ । କଲେଜର ବିତ୍ତୀୟ ମୁଖ୍ୟ ଡ. ଆଶୁତୋଷ ପ୍ରୟାସ ଦାଶ ସ୍ୱାଗତ ଭାଷଣ କ୍ରମରେ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବିଦ୍ୟାର୍ଥୀଙ୍କ କୃତିତ୍ୱ ଓ ଶିକ୍ଷକ ଗବେଷକ ମାନଙ୍କର ମହତ୍ତ୍ୱକୁ ସ୍ୱୀକୃତି ସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ ବୋଲି କହିଥିଲେ । ଶୈକ୍ଷିକ ମୁଖ୍ୟ ଡଃ ଆଲବେର୍ଟିନା ତିର୍କୀ ନିଜ ବକ୍ତବ୍ୟରେ ବିଦ୍ୟାର୍ଥୀ ଓ ଶିକ୍ଷକ ଗବେଷକମାନଙ୍କ ସଫଳତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭକାମନା ଜଣାଇଥିଲେ । ଆଇକୁ୍ୟଏସି ସଂଯୋଜକ ଦେବାଶିଷ ଦାସ କଲେଜର ଶୈକ୍ଷିକ ସଫଳତା ଓ ଗବେଷଣା ପ୍ରକଳ୍ପ ସମ୍ପର୍କରେ ବିବରଣୀ ଦେବା ସହ ୨୦୨୩ ଶିକ୍ଷା ବର୍ଷରେ ମୋଟ ୪୨ ଛାତ୍ରଛାତ୍ରୀ ଆଇଆଇଟି, ଜାମ୍ ଓ ସିୟୁସିଇଟି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପକ୍ଷରୁ ୨୩ଟି ଗବେଷଣା ସଂଦର୍ଭ ପ୍ରକାଶିତ ହୋଇଛି । ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ ସ୍ୱାଗତିକା ସାହୁ ଓ ଅର୍ଥନୀତି ବିଭାଗର ଡଃ ସିଦେ୍ଧଶ୍ୱର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଦୁଇଟି ଉଲ୍ଲେଖନୀୟ ଗବେଷଣା ପ୍ରକଳ୍ପ କାର୍ଯ୍ୟ କରୁଛି । କଲେଜର ପ୍ରସାଶନିକ ମୁଖ୍ୟ ଡଃ ଦୀପକ କୁମାର ବେହେରା ନିଜ ବକ୍ତବ୍ୟରେ ଯେକୌଣସି ଭଲ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଗଡି ଯାଇନଥାଏ, ଯେକୌଣସି ସମୟରେ ଏହାର ଶୁଭାରମ୍ଭ କରଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂତତ୍ୱ ବିଜ୍ଞାନ, ନୃତତ୍ତ୍ୱ, ରାଜନୀତି ବିଜ୍ଞାନ, ଇଣ୍ଟିଗ୍ରେଟେଡ ବିଇଡି ବିଭାଗର ୪୨ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୧୫ଜଣ ଶିକ୍ଷକ ଗବେଷକଙ୍କୁ ସେମାଙ୍କର ଗବେଷଣା ସଂଦର୍ଭ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଗବେଷକ ନିଜ ସମ୍ବର୍ଦ୍ଧନାର ଉତ୍ତରରେ କଲେଜର ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ଇଂରାଜୀ ବିଭାଗର ମୁଖ୍ୟ ରବିନ୍ଦ୍ର ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
