ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ଅଫ ଇଣ୍ଡିଆର ୧୧୮ତମ ସ୍ଥାପନା ଦିବସ ୭ ସେପ୍ଟେମ୍ବର ୨୦୨୩ ଦିନ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବ୍ୟାଙ୍କ ତରଫରୁ ଅନାଥାଶ୍ରମରେ ଖାଦ୍ୟ ବଣ୍ଟନ ଏବଂ ଚାରା ରୋପଣ ଆଦି କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କ ପକ୍ଷରୁ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୨୨୫ ହିତାଧିକାରୀଙ୍କୁ ୪୦କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ବାରିପଦା ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ତଥା ଆଞ୍ଚଳିକ ପ୍ରବନ୍ଧକ ରମେଶ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ଥାପନ ଦିବସ ଉପଲକ୍ଷେ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଏହା ଅଧୀନରେ ଥିବା ୬୭ଟି ଶାଖାର ଉପସ୍ଥିତ ସଦସ୍ୟ ମାନଙ୍କୁ ଶ୍ରୀ ଦାସ ସମ୍ବର୍ଦ୍ଧିତ କରିଥିଲେ । ବ୍ୟାଙ୍କ ଦ୍ୱାରା କିପରି ସମାଜରେ ଲୋକମାନଙ୍କର ଅଗ୍ରଗତି ହୋଇ ପାରିବ ଏବଂ ବ୍ୟାଙ୍କ ପ୍ରଦତ୍ତ ବିଭିନ୍ନ ପ୍ରକାର ସେବା ଏବଂ ଯୋଜନା କିପରି ଲୋକ ମାନଙ୍କ ପାଖେ ପହଁଚି ପାରିବ ଓ ଲୋକମାନେ ଲାଭାନ୍ୱିତ ହୋଇ ପାରିବେ ସେ ବିଷୟରେ ଶ୍ରୀ ଦାସ ବିସ୍ତୃତ ଆଲୋଚନା କରିଥିଲେ । ଆଗକୁ କିପରି ଡିଜିଟାଲ ସେବା ମାଧ୍ୟମରେ ନେଣଦେଣ ପ୍ରକ୍ରିୟାକୁ ସୁଗମ କରିବା ସହିତ ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ସବୁ ବର୍ଗର ଲୋକେ କିପରି ଲାଭାନ୍ୱିତ ହୋଇ ପାରିବେ ସେ ବିଷୟରେ ଉକ୍ତ କାର୍ଯ୍ୟକ୍ରମରେ ଆଲୋକପାତ କରିଥିଲେ । ରାଷ୍ଟ୍ରାୟତ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ବାରିପଦା ଅଞ୍ଚଳ ଏହାର ୬୭ ଶାଖା ଦ୍ୱାରା ସଦାସର୍ବଦା ନିରବିଛିନ ସେବା ପ୍ରଦାନ କରି ଆସୁଥିବାବେଳେ ସମାଜର ସବୁ ଶ୍ରେଣୀର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରି ଆସୁଅଛି । କାର୍ଯ୍ୟକ୍ରମର ଶେଷରେ ବ୍ୟାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଗ୍ରାହକ ମାନେ, ସମସ୍ତ ସଦସ୍ୟ ଏବଂ ଅବସର ପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପ ଆଞ୍ଚଳିକ ପ୍ରବନ୍ଧକ ସତ୍ୟରଞ୍ଜନ ଦାସ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ ସଦସ୍ୟ/ସଦସ୍ୟା ସହଯୋଗ କରିଥିଲେ ।