ବାଲିଗୁଡା, ତା, ୧୦/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ କୃମି ନାଶକ ଦିବସ ପାଳନ କରାଯାଇଛି। ଏହି ଦିବସରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ପ୍ରାୟ ପାଖାପାଖି ୧ରୁ ୧୯ ବର୍ଷ ର ପ୍ରାୟ ୧୨୦୦୦ ପିଲାଙ୍କୁ କୃମି ନାଶକ ଔଷଧ ସେବନ କରାଯାଇଥିଲା।ଏହା ବ୍ୟତୀତ, ୨୦ ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ପ୍ରଜନନ କ୍ଷମ ମହିଳା ମାନେ ମଧ୍ୟ ନିଜ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ କୃମି ନାଶକ ଔଷଧ ସେବନ କରିଥିଲେ। ଏହା ଏକ ନୂତନ ଓ ପ୍ରଶଂସନୀୟ ପଦକ୍ଷେପ ଥିଲା, ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଅବସ୍ଥାକୁ ମନୋନିବେଶ କରିଥାଏ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ କୃମି ଜନିତ ରୋଗରୁ ସୁରକ୍ଷା ଦେବା ଏବଂ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା। କୃମି ଜନିତ ରୋଗ ପିଲାମାନଙ୍କ ପୋଷଣ ଅବସ୍ଥା, ଶାରୀରିକ ଓ ମାନସିକ ବିକାଶକୁ ବାଧା ଦେଇଥାଏ।ଅଙ୍ଗନବାଡ଼ି କର୍ମୀ, ଆଶା, ଏଏନଏମ ଓ ସିଏଚଓ ମାନେ ଯଥାଶକ୍ତି ଶିକ୍ଷାନୁଷ୍ଠାନକୁ ଯାଇ ପିଲାମାନଙ୍କୁ କୃମି ନାଶକ ଔଷଧ ଖୁଆଇଥିଲେ। ଏହା ସହିତ ପିଲାମାନଙ୍କୁ ସ୍ୱଚ୍ଛତା ରଖିବା, ହାତ ଧୋଇ ଖାଦ୍ୟ ଖାଇବା, ସୁଚିକିତ୍ସାପୂର୍ଣ୍ଣ ଜୀବନଶୈଳୀ ଅନୁସରଣ କରିବା ସମ୍ବନ୍ଧରେ ସଚେତନ କରାଯାଇଥିଲା।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ଯେ, କୃମି ନାଶକ ଔଷଧ ସେବନ ଦ୍ୱାରା ପିଲାମାନଙ୍କର ପୋଷଣ ଅବସ୍ଥା ସୁଧାର ହେବା ସହିତ ଶାରୀରିକ ଓ ମାନସିକ ବିକାଶ ଭଲ ହୋଇଥାଏ।