ବାଲିଆପାଳ : ରାସ୍ତା ପାଲଟିଛି ମରଣଯନ୍ତା । କୌଣସି ଗାଁ ହଗଳି ରାସ୍ତା ନୁହେଁ ବାଲିଆପାଳରୁ ଗାନ୍ଧିଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଉକ୍ତ ରାସ୍ତାଟି ଗାନ୍ଧିଛକରୁ ଭାୟା ବାଲିଆପାଳ ହୋଇ ଗୋଟିଏପଟେ କାଳିପଦା ଓ ଚୌମୁଖ ପର୍ଯ୍ୟନ୍ତ ଯାଇଥିବା ବେଳେ ଅନ୍ୟ ପଟେ କମର୍ଦ୍ଦା ଦେଇ ଭୋଗରାଇ ବ୍ଲକକୁ ଏବଂ ପଶ୍ଚିମବାଡ ଦେଇ ଜଳେଶ୍ୱର ବ୍ଲକକୁ ସଂଯୋଗ କରୁଛି ।
ଜିଲ୍ଲାର ଏକମାତ୍ର ମୁଖ୍ୟରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ବାଲିଆପାଳ, ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକର ହଜାର ହଜାର ଲୋକ ଦୈନିକ ଯାତାୟତ କରିଥାନ୍ତି । ଶହ ଶହ ବସ, ଟ୍ରକ, ଟ୍ରାକଟର ମଧ୍ୟ ଏହି ରାସ୍ତାରେ ପ୍ରତିଦିନ ଯାତାୟତ କରିଥାଏ । ପୂର୍ତ୍ତବିଭାଗ ଅଧିନରେ ଥିବା ଏହି ରାସ୍ତାରେ ବର୍ଷ ସାରା କୋଟି କୋଟି ଟଙ୍କାର ମରାମତି କାର୍ଯ୍ୟ ହେଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ ।
ଆଜି ଏହି ରାସ୍ତାରେ ଘଂଟିଆଡି ଛକ ନିକଟରେ ଥିବା ୬୦ ବର୍ଷର ଏକ ପୁରୁଣା କଲଭର୍ଟ ପୋଲ ୨ ଫୁଟ ତଳକୁ ଦବି ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ସକାଳେ କୌଣସି ବସ ବାଲିଆପାଳରୁ ବାଲେଶ୍ୱର ଯାଇ ପାରିନଥିଲା । ରାସ୍ତାରେ ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷପେ ଗ୍ରହଣ କରାଯାଇ ଦବି ଯାଇଥିବା ରାସ୍ତାରେ ବାଲି ଓ ମୋରମ ଭର୍ତ୍ତି କରାଯିବାରୁ ଯାତାୟତ ସ୍ୱଭାବିକ ହୋଇଥିଲା । ଏ ସମ୍ପର୍କରେ ବିଭାଗୀୟ ଏସଡିଓ ଇଂ ମନୋରଂଜନ ବେହେରାଙ୍କୁ ପଚାରିବାରୁ ରାସ୍ତା ଉପରେ ଥିବା ପୁରାତନ କଲଭର୍ଟଟି ଭାଙ୍ଗିଯିବାରୁ ରାସ୍ତାଟି ଦବି ଯାଇଛି । ବର୍ତ୍ତମାନ ଅସ୍ଥାୟୀ ଭାବେ ହ୍ୟୁମ ପାଇପ ପକାଇ ରାସ୍ତା ନିର୍ମାଣ ସହିତ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଛି । ଖୁବ ଶିଘ୍ର ଟେଣ୍ଡର କରାଯାଇ ସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
