Odisha news

ବାଲିଆପାଳ-ଗାନ୍ଧିଛକ ରାସ୍ତାରେ ଦବିଲା କଲଭର୍ଟ ପୋଲ : ଯାତାୟତ ବାଧାପ୍ରାପ୍ତ

0

ବାଲିଆପାଳ : ରାସ୍ତା ପାଲଟିଛି ମରଣଯନ୍ତା  । କୌଣସି ଗାଁ ହଗଳି ରାସ୍ତା ନୁହେଁ ବାଲିଆପାଳରୁ ଗାନ୍ଧିଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି  । ଉକ୍ତ ରାସ୍ତାଟି ଗାନ୍ଧିଛକରୁ ଭାୟା ବାଲିଆପାଳ ହୋଇ ଗୋଟିଏପଟେ କାଳିପଦା ଓ ଚୌମୁଖ ପର୍ଯ୍ୟନ୍ତ ଯାଇଥିବା ବେଳେ ଅନ୍ୟ ପଟେ କମର୍ଦ୍ଦା ଦେଇ ଭୋଗରାଇ ବ୍ଲକକୁ ଏବଂ ପଶ୍ଚିମବାଡ ଦେଇ ଜଳେଶ୍ୱର ବ୍ଲକକୁ ସଂଯୋଗ କରୁଛି  ।

ଜିଲ୍ଲାର ଏକମାତ୍ର ମୁଖ୍ୟରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ବାଲିଆପାଳ, ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକର ହଜାର ହଜାର ଲୋକ ଦୈନିକ ଯାତାୟତ କରିଥାନ୍ତି  । ଶହ ଶହ ବସ, ଟ୍ରକ, ଟ୍ରାକଟର ମଧ୍ୟ ଏହି ରାସ୍ତାରେ ପ୍ରତିଦିନ ଯାତାୟତ କରିଥାଏ  । ପୂର୍ତ୍ତବିଭାଗ ଅଧିନରେ ଥିବା ଏହି ରାସ୍ତାରେ ବର୍ଷ ସାରା କୋଟି କୋଟି ଟଙ୍କାର ମରାମତି କାର୍ଯ୍ୟ ହେଉଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ  ।

ଆଜି ଏହି ରାସ୍ତାରେ ଘଂଟିଆଡି ଛକ ନିକଟରେ ଥିବା ୬୦ ବର୍ଷର ଏକ ପୁରୁଣା କଲଭର୍ଟ ପୋଲ ୨ ଫୁଟ ତଳକୁ ଦବି ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା  । ସକାଳେ କୌଣସି ବସ ବାଲିଆପାଳରୁ  ବାଲେଶ୍ୱର ଯାଇ ପାରିନଥିଲା  । ରାସ୍ତାରେ ଦୁଇ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା  । ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷପେ ଗ୍ରହଣ କରାଯାଇ ଦବି ଯାଇଥିବା ରାସ୍ତାରେ ବାଲି ଓ ମୋରମ ଭର୍ତ୍ତି କରାଯିବାରୁ ଯାତାୟତ ସ୍ୱଭାବିକ ହୋଇଥିଲା  । ଏ ସମ୍ପର୍କରେ ବିଭାଗୀୟ ଏସଡିଓ ଇଂ ମନୋରଂଜନ ବେହେରାଙ୍କୁ ପଚାରିବାରୁ ରାସ୍ତା ଉପରେ ଥିବା ପୁରାତନ କଲଭର୍ଟଟି ଭାଙ୍ଗିଯିବାରୁ ରାସ୍ତାଟି ଦବି ଯାଇଛି  । ବର୍ତ୍ତମାନ ଅସ୍ଥାୟୀ ଭାବେ ହ୍ୟୁମ ପାଇପ ପକାଇ ରାସ୍ତା ନିର୍ମାଣ ସହିତ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଛି  । ଖୁବ ଶିଘ୍ର ଟେଣ୍ଡର କରାଯାଇ ସ୍ଥାୟୀ ପୋଲ ନିର୍ମାଣ କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି  ।

Leave A Reply