ବାଲିଗୁଡ଼ା: ୨୮/୧୧ : (ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ଯୋଜନାରେ ଗରିବ ଓ ଅସହାୟ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ପାଇଁ ରାସନ କାର୍ଡ ବ୍ୟବସ୍ଥା ରହିଛି। ହେଲେ ସରକାରୀ ତଥ୍ୟରେ ତ୍ରୁଟି ଯୋଗୁଁ ପ୍ରକୃତ ଗରିବ ହିତାଧିକାରୀ ଯଦି ଏହି ସୁବିଧାରୁ ବଞ୍ଚିତ ହୁଅନ୍ତି, ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ ? ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ହରିଜନ ସାହିରେ। ଗାଡ଼ି ଥିବା ଦର୍ଶାଇ ପାଞ୍ଚଟି ଅତ୍ୟନ୍ତ ଗରିବ ପରିବାରଙ୍କ ରାସନ କାର୍ଡ ବାତିଲ କରିଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ହରିଜନ ସାହିର ଅପସରୀ ନାୟକ, ପଦ୍ମଚରଣ ନାୟକ, ଜିତେନ୍ଦ୍ର ନାୟକ, ଜଗନ୍ନାଥ ନାୟକ ଏବଂ ଲକୀ ନାୟକଙ୍କ ପରିବାର ଦୀର୍ଘଦିନ ଧରି ଦିନମଜୁରି କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ଦୈନିକ ମଜୁରି ଉପରେ ନିର୍ଭରଶୀଳ ଏହି ପରିବାର ଗୁଡ଼ିକର ଆର୍ଥିକ ସ୍ଥିତି ଆଦୌ ସ୍ୱଚ୍ଛଳ ନୁହେଁ। ଏପରିକି ଦୁଇ ଓଳି ଖାଦ୍ୟ ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପାଇଁ ଅନେକ ସମୟରେ କଷ୍ଟକର ହୋଇପଡ଼େ। ହେଲେ ସରକାରୀ ରେକର୍ଡରେ ସେମାନଙ୍କ ନାମରେ ଗାଡ଼ି ଥିବା ଦର୍ଶାଯାଇ ରାସନ କାର୍ଡରୁ ନାମ କାଟି ଦିଆଯାଇଛି। ଏହି ଘଟଣା ପରେ ପାଞ୍ଚଟି ପରିବାର ଅସହାୟ ହୋଇପଡ଼ିଛନ୍ତି। ରାସନ କାର୍ଡ ଜରିଆରେ ମିଳୁଥିବା ଚାଉଳ ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେବା ପରେ ସେମାନଙ୍କ ଦୈନନ୍ଦିନ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି। ନିଜ ନାମରେ କୌଣସି ଗାଡ଼ି ନଥିବା ସତ୍ତ୍ୱେ କେଉଁ ଆଧାରରେ ସରକାରୀ ରେକର୍ଡରେ ଗାଡ଼ି ଥିବା ଦର୍ଶାଯାଇଛି, ତାହା ସେମାନଙ୍କ ପାଇଁ ଏବେ ବଡ଼ ପ୍ରଶ୍ନ ପାଲଟିଛି। ନିଜର ହକ୍ ପାଇବା ଆଶାରେ ସଂପୃକ୍ତ ପରିବାର ଗୁଡ଼ିକ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ନିରାଶ ହୋଇଛନ୍ତି। ହେଲେ ଏଯାଏଁ ସେମାନଙ୍କ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ଫଳରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସୁରକ୍ଷା ଯୋଜନାରୁ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷର କାରଣ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି, ଗରିବ ପରିବାରଙ୍କ ନାମରେ ଗାଡ଼ି ଥିବା ତଥ୍ୟ କେଉଁଠାରୁ ଆସିଲା? ତଥ୍ୟ ଯାଞ୍ଚରେ ତ୍ରୁଟି ରହିଛି ନା ଅନ୍ୟ କୌଣସି କାରଣରୁ ଏଭଳି ହୋଇଛି? ଏହାର ନିରପେକ୍ଷ ତଦନ୍ତ କରିବା ସହ ଗାଡ଼ି ସମ୍ପର୍କିତ ସରକାରୀ ରେକର୍ଡ ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି।
ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କ୍ଷେତ୍ରସ୍ତରୀୟ ତଦନ୍ତ କରିବା ସହ ଯଦି ତଥ୍ୟଗତ ତ୍ରୁଟି ଯୋଗୁଁ ରାସନ କାର୍ଡ ବାତିଲ ହୋଇଛି, ତେବେ ତାହାର ସଂଶୋଧନ କରି ପାଞ୍ଚଟି ପରିବାରଙ୍କୁ ପୁନର୍ବାର ରାସନ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗରିବଙ୍କ ଅଧିକାର କାଗଜପତ୍ରର ତ୍ରୁଟି ଭିତରେ ହଜି ନଯାଉ, ଏଥିପ୍ରତି ପ୍ରଶାସନ ତୁରନ୍ତ ସମ୍ବେଦନଶୀଳ ହେବା ଆବଶ୍ୟକ।
