ଆଠଗଡ଼ ତା ୦୪-୦୪-୨୪ ଗୁରୁବାର ମହାନଦୀରେ ଚାରି ଜଣ ଯୁବକ ଡଙ୍ଗା ନେଇ ଗାଧୋଇବା ପାଇଁ ଯାଇଥିବା ବେଳେ ଡ଼ଙ୍ଗା ବୁଡି ଯିବାରୁ ଜଣେ ଯୁବକ ନିଖୋଜ ହୋଇ ଥିବା ବେଳେ ଅନ୍ୟ ତିନିଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇ ଥିବା ଜଣାପଡିଛି। ତେବେ ଉଦ୍ଧାର ତିନି ଜଣ ଯୁବକ ଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଠଗଡ଼ ଏବଂ ପରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ପଡା ଗ୍ରାମ ର ରଞ୍ଜନ ନାୟକ ଙ୍କ ପୁଅ ରଜତ ନାୟକ (୨୫) ,ଦାସରଥି ପ୍ରଧାନ ଙ୍କ ପୁଅ ଦୀପକ ପ୍ରଧାନ (୨୨), ମନୋଜ ସାହୁ ଙ୍କ ପୁଅ ଶିବୁ ସାହୁ (୨୫) ଏବଂ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମ ର ଧିରେନ୍ଦ୍ର ଖଟୁଆ ଙ୍କ ପୁଅ ଚିନ୍ମୟ ଖଟୁଆ (୨୨) ଆଜି ପ୍ରାୟ ୧୨ ଟା ସମୟରେ ବାଙ୍କୀ ଥାନା ଅନ୍ତର୍ଗତ ସହଙ୍ଗା ଗୋପାଳପୁର ନିକଟରେ ଥିବା ମହାନଦୀ କୁ ଗାଧୋଇବା ପାଇଁ ଯାଇଥିଲେ। ସେମାନେ କୂଳ ରେ ବନ୍ଧା ଯାଇଥିବା ଏକ ଡଙ୍ଗା ନେଇ ନଦୀ ଭିତରକୁ ଯାଇଥିବା ବେଳେ ଡ଼ଙ୍ଗା ଓଲଟି ପଡିବାରୁ ଚାରି ଜଣ ଯାକ ପାଣି ଭିତରେ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ରଜତ ନାୟକ ଉଦ୍ଧାର ହୋଇ ପାରି ନ ଥିଲେ। ଉଦ୍ଧାର ହୋଇ ଥିବା ଯୁବକ ଙ୍କ ମଧ୍ୟରୁ ଶିବୁ ସାହୁ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଠଗଡ଼ ଏବଂ ପରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରା ଯାଇଛି। ଖବର ପାଇ ଆଠଗଡ଼, ବାଙ୍କୀ ଏବଂ ଡମପଡା ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ନଦୀ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ ରଜତ ଙ୍କ ପତ୍ତା ମିଳି ପାରିନାହିଁ।ପରେ ସୋମପଡା ର କିଛି ମତ୍ସଜୀବୀ ଙ୍କୁ ଆଣି ନଦୀ ଭିତରେ ଜାଲ ପକାଇ ଖୋଜିବା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ଇତି ମଧ୍ୟରେ ଓଡ୍ରାଫ ଟିମ୍ ମଧ୍ୟ ଖୋଜାଖୋଜି ରେ ସାମିଲ ହୋଇଥିବା ବେଳେ ବାଙ୍କୀ ଥାନା ପୋଲିସ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ପଡା ର ତିନି ଜଣ ଯୁବକ ଆଜି ଖଣ୍ଡହତା ଗ୍ରାମ ର ତାଙ୍କ ସାଙ୍ଗ ଘର କୁ ବୁଲିବାକୁ ଆସି ଏଭଳି ଦୁର୍ଘଟଣା ର ଶିକାର ହୋଇ ଥିବା ଜଣାପଡିଛି।ଏ ବାବଦରେ ନିଖୋଜ ରଜତ ଙ୍କ ଭିଣୋଇ ଐଶ୍ୱର୍ଯ୍ୟ କୁମାର ସ୍ବାଇଁ ବାଙ୍କୀ ଥାନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।
