ଆଠଗଡ଼ ତା ୧୧-୦୨-୨୪ ଆଠଗଡ଼ ନିଛାଟିଆ ଅଞ୍ଚଳ ରେ ସନ୍ଧ୍ୟା ହେଲେ ବସୁଛି ନିଶା ର ଆସର। ଅନ୍ଧାରରେ ବସି ହିରୋଇନ୍ ଚରସ ଭଳି ମାରାତ୍ମକ ନିଶା ସେବନ କରୁଛନ୍ତି ଯୁବପିଢି।ବୟସ ବେଶି ନୁହେଁ। ସମସ୍ତଙ୍କ ବୟସ କୋଡ଼ିଏ ରୁ ତିରିଶ ବର୍ଷ ମଧ୍ୟରେ। ପାଠପଢା କ୍ୟାରିଅର ଭଳି ଶବ୍ଦ ସେମାନଙ୍କ ଅଭିଧାନ ରେ ନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ନିଶା ସେବନ କରିବା ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ରେ ସଂପୃକ୍ତ ହେଉଥିବା ଅଭିଯୋଗ ହୋଇଛି। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ପଛପାଖ ପଡିଆ, ପାଓ୍ଵାରଲୁମ ଭିତର, ଆଙ୍କୁଲା ନିକଟସ୍ଥ ଆର ସି ଏମ୍ ଏସ ପଡିଆ, ଶୀତଳଭଣ୍ଡାର ଭିତର ଵାଣୀକଣ୍ଠ ନଗର କାଜୁ ବଗିଚା, ଗୁଣ୍ଡିଚା ପୁର ଅଡାଳ ରାସ୍ତା ଆଦି ସ୍ଥାନ ଗୁଡ଼ିକ ନିଶାଡି ମାନଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଆଠଗଡ଼ ରେ ଥିବା କିଛି ହୋଟେଲ, ପାନ ଦୋକାନ ସହିତ ନିର୍ଦ୍ଧିଷ୍ଟ କିଛି ନିଶା ମାଫିଆ ସେମାନଙ୍କ ନେଟୱର୍କ ଚଳାଇଛନ୍ତି। ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ କେବଳ ଲୋକଦେଖାଣିଆ ଚଢାଉ କରାଯାଇ ଚୋରା ଦେଶୀ ରନ୍ଧା ମଦ, ଏବଂ ସମୟ ସମୟରେ ଗଞ୍ଜେଇ ବେପାରୀଙ୍କୁ ଧରି କାମ ସାରି ଦେଉଛନ୍ତି। ଗତ ଦୁଇ ବର୍ଷ ତଳୁ ଆଠଗଡ଼ ରେ ଧଳା ଜହର ର ନେଟୱର୍କ କୁ ପଦାରେ ପକାଇଥିଲା ଅବକାରୀ ବିଭାଗ ର ସ୍ବତନ୍ତ୍ର ଟାକ୍ସଫୋର୍ସ। ଆଠଗଡ଼ ରେ ପୁରୁଣା କଟକ ସମ୍ବଲପୁର ରାସ୍ତା ର ଗୋଟିଏ ହୋଟେଲ୍ ଭିତରୁ ଧଳା ଜହର ଜବତ ହେବା ସହିତ ଦୁଇ ଜଣ ଗିରଫ ହେବାପରେ ଏହି ଘଟଣା କୁ ନେଇ ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।ଗତ କିଛିଦିନ ଭିତରେ ବଡ଼ମ୍ବା ନରସିଂହପୁର ଅଞ୍ଚଳ କୁ ଏହି ନିଶା ସିଣ୍ଡିକେଟ ର ଚେର ଲମ୍ବିଥିବା ବିଭିନ୍ନ ସମୟରେ ଧଳା ଜହର ଜବତ ହେବା ପରେ ସାମ୍ନା କୁ ଆସିଛି। ଗତ ଫେବୃଆରୀ ମାସ ୬ ତାରିଖ ରେ ଭୁବନେଶ୍ବରରେ ୪୦୦ ଗ୍ରାମ ର ଧଳା ଜହର ଜବତ କରା ଗଲା। ଜେରା ବେଳେ ଏହି ମାଫିଆ ମାନଙ୍କ ର ଆଠଗଡ଼ ଲିଙ୍କ ପଦାକୁ ଆସିବା ପରେ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା।ଏହା ପୂର୍ବରୁ ଅଂଶୁପା ଠାରୁ ବିପୁଳ ପରିମାଣର ପ୍ରାୟ ୧କିଲୋ ୩୩୫ ଗ୍ରାମ ର ଧଳା ଜହର ଜବତ ହେବା ଏବଂ ଏହାର ତିଗିରିଆ ଲିଙ୍କ୍ ଥାଇ ଦୁଇ ଜଣ ଙ୍କୁ ଗିରଫ କରା ଯାଇଥିଲା।ତା ପରେ ମଧ୍ୟ କୋଚିଆ ବେପାରୀ ( ଖୁଚୁରା ବେପାରୀ) ଙ୍କୁ ଆରାମରେ ଏହି ଧଳା ଜହର ମିଳି ଯାଉଛି। ଯାହାର କିଛି ଟେର ପାଇ ପାରୁନି ଆଠଗଡ଼ ପୋଲିସ କିମ୍ବା ଅବକାରୀ ବିଭାଗ। ଏଭଳି ନିଶା କାରବାର ର ଅଭୟାରଣ୍ୟ ହେଉଛି ଖୁଣ୍ଟୁଣୀ ଅଞ୍ଚଳ।୫୫ ନଂ ଜାତୀୟ ରାଜପଥ ସହିତ ରେଳ ଯୋଗାଯୋଗ ଯୋଗୁଁ ଏହାର ଫାଇଦା ଉଠାଉଛନ୍ତି ମାଫିଆ। ସନ୍ଧ୍ୟା ହେଲେ ଖୁଣ୍ଟୁଣୀ ଏବଂ ଗୁରୁଡିଝାଟିଆ ଥାନା ଅଞ୍ଚଳ ର ଅଧିକାଂଶ ନିଛାଟିଆ ସ୍ଥାନ ଏବଂ ଜଙ୍ଗଲ କଡ଼ରେ ମାଫିଆ ମାନଙ୍କ ଆସ୍ଥାନ ଜମୁଛି। ଉଭୟ ଥାନା ର କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ ଵାରିସୀ କରି ମାଫିଆ ମାନଙ୍କ ସାମ୍ରାଜ୍ୟ ବଢ଼ିବାରେ ଲାଗିଛି। ଯେଉଁ କାରଣରୁ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦେଖିବାକୁ ମିଳୁନାହିଁ। ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ଜବତ ହେବା ବେଳେ କେବେ ବି ମଦ ମାଫିଆଙ୍କ ଗିରଫ ହେବା ର ନଜୀର ଆଠଗଡ଼ ଅବକାରୀ କିମ୍ବା ପୋଲିସ ଇତିହାସରେ ନାହିଁ। ଆଠଗଡ଼ ଦେଇ ଗଞ୍ଜେଇ ଚାଲାଣ ତ ସାଧାରଣ କଥା ପାଲଟିଛି। ଫୁଲବାଣୀ କୋରାପୁଟ ନବରଙ୍ଗପୁର ମାଲକାନଗିରି ଅଞ୍ଚଳ ରୁ ନୟାଗଡ଼ ବାଟ ଦେଇ ନରସିଂହପୁର ସିଦ୍ଧମୂଳା ବ୍ରିଜ, ବଡ଼ମ୍ବା ଟି ବ୍ରିଜ ଏବଂ ବାଙ୍କୀ ଥାନା ଅଞ୍ଚଳ ର ସୁବର୍ଣ୍ଣପୁର ଜାତ ମୁଣ୍ଡିଆ ସେତୁ ଦେଇ ବିଭିନ୍ନ ଦାମୀ ଗାଡ଼ି ରେ ଏହି ଚୋରା ଚାଲାଣ ଜାରି ରହିଛି। ଅବକାରୀ ଏବଂ ପୋଲିସ ଆଖି ରେ ଧୂଳି ଦେଇ ମାଫିଆ ମାନେ ଏହାକୁ ଅନାୟାସରେ କେନ୍ଦ୍ରାପଡ଼ା,ପୁରୀ ଜଗତସିଂହପୁର ଯାଜପୁର ଢେଙ୍କାନାଳ ଅନୁଗୁଳ ଆଦି ଜିଲ୍ଲା ମାନଙ୍କୁ ଚାଲାଣ କରିବା ପାଇଁ ସକ୍ଷମ ହେଉଛନ୍ତି। ଚୋରା ଦେଶୀ ରନ୍ଧା ମଦ, ଗଞ୍ଜେଇ ସାଙ୍ଗକୁ ଧଳା ଜହର କାରବାର ର ଚେର ରାଜନୈତିକ ଦଳ ମାନଙ୍କୁ ଲମ୍ବିଥିବା ବେଳେ ଏଭଳି ମାଫିଆ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ସହିତ ଅବକାରୀ ବିଭାଗ ସାହସ ଜୁଟାଇ ପାରୁ ନ ଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।