ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍ରେ ଏନେଇ ସୂଚନା ଦିଆଯାଇଛି।
ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଅମ୍ପନ୍ ଏବେ ପାରଦୀପଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ-଼ ଦକ୍ଷିଣପଶ୍ଚିମକୁ ୯୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଅତି ଭୀଷଣ ବାତ୍ୟାର ରୂପ ନେବାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ।
ମେ’ ୨୦ ତାରିଖରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।
ମେ’ ୧୯ରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କି.ମି. ରହିପାରେ। ଏପରିକି ୯୫ କିଲୋମିଟର ଯାଏ ମଧ୍ୟ ପହଞ୍ଚିପାରେ। ତେବେ ମେ’ ୨୦ ତାରିଖ ଅପରାହ୍ଣରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କି.ମି. ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।