Odisha news

କିମ୍ ଜଙ୍ଗ-ଉନ୍ ଦୀର୍ଘ ୨୦ ଦିନ ପରେ ‘ମଇ ଦିବସ’ରେ ସାର କାରଖାନା ନିର୍ମାଣ ସମାପନ ଉତ୍ସବରେ ଯୋଗ ଦେଲେ

0

ସିଓଲ୍: ଦୀର୍ଘ ୨୦ ଦିନ ପରେ ‘ମଇ ଦିବସ’ରେ କିମ୍ ଜଙ୍ଗ-ଉନ୍ ପଦାକୁ ବାହାରିଥିବାର ଫଟୋ ପ୍ରକାଶ କରିଛି ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ। ‘ରୋଡ଼ୋଙ୍ଗ୍ ସିନ୍‌ମୁନ୍’ ସମ୍ବାଦପତ୍ରରେ ମୁଦ୍ରିତ ଫଟୋରେ ଦେଖାଯାଉଛି କିମ୍ ଶୁକ୍ରବାର ଦିନ ରାଜଧାନୀ ପାୟୋଙ୍ଗ୍ୟାଙ୍ଗ୍ ନିକଟ ସୁନ୍‌ସୋନ୍‌ରେ ଏକ ସାର କାରଖାନା ନିର୍ମାଣ ସମାପନ ଉତ୍ସବରେ ଯୋଗ ଦେଇଛନ୍ତି।

ଫଟୋରେ ତାଙ୍କ ଭଉଣୀ ତଥା ଅନ୍ତଃରଙ୍ଗ ପରାମର୍ଶଦାତ୍ରୀ କିମ୍ ୟୋ ଜଙ୍ଗ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଗହଣରେ କିମ୍ ଥିବାର ଦେଖାଯାଉଛି। ଉତ୍ତର କୋରିଆ ରେଡିଓ କହିଛି ଯେ ଏକ ଫସ୍‌ପେଟ୍ ସାର କାରଖାନା ନିର୍ମାଣ ଶେଷ ହେବା ଅବସରରେ ଆୟୋଜିତ ଉତ୍ସବରେ କିମ୍ ଯୋଗ ଦେଇଥିଲେ। ଏହି ଉତ୍ସବରେ କିମ୍ ମୃଦୁ ହସି ଲାଲ୍ ରିବନ୍ କାଟୁଥିବା ଦେଖାଯାଉଛି।

ଉତ୍ସବରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସର୍ବୋଚ୍ଚ ନେତା କିମ୍‌ଙ୍କ ପାଇଁ ଉଚ୍ଚ ସ୍ବରରେ ଆନନ୍ଦରେ ‘ହୁରେ’ ବୋଲି କହିଥିବା କୋରିଆ ସେଣ୍ଟ୍ରାଲ୍ ନିଉଜ୍‌ ଏଜେନ୍‌ସି ରିପୋର୍ଟ କରିଛି।

ଏଠାରେ ପ୍ରକାଶ ଯୋଗ୍ୟ କି, ଏପ୍ରିଲ୍ ୧୫ ତାରିଖରେ ଦକ୍ଷିଣ କୋରିଆର ଏକ ଜାତୀୟ ଉତ୍ସବରେ କିମ୍ ଅନୁପସ୍ଥିତ ଥିଲେ। ତେଣୁ, କିମ୍ ଗୁରୁତର ଅସୁସ୍ଥ ଏବଂ ସେ ମୃତ ବ‌ୋଲି କେତେକ ଗୁପ୍ତଚର ସଂସ୍ଥା ଓ ଗଣମାଧ୍ୟମ ଦାବି କରୁଥିଲେ।

କିମ୍ କ’ଣ ପାଇଁ ଉକ୍ତ ଉତ୍ସବରେ ଅନୁପସ୍ଥିତ ଥିଲେ ଓ ତାଙ୍କ ସମ୍ବନ୍ଧରେ ଉଠିଥିବା ଗୁଜବ ବିଷୟରେ ମଧ୍ୟ ଦକ୍ଷିଣ କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ନିରବ ରହିଛି।

 

 

Har Ghar Tiranga

Leave A Reply