Editorial : କୌଣସି ମହାମାରୀ ଯେତେବେଳେ ବ୍ୟାପେ ବିପର୍ଯ୍ୟସ୍ତ ହୋଇଯାଏ ମଣିଷର ଜୀବନଶୈଳୀ । ଆପଣାର ଜୀବନର ସୁରକ୍ଷା ପାଇଁ ଅନେକ ପ୍ରକାର ସାମାଜିକ,ସ୍ୱାସ୍ଥ୍ୟଗତ ଓ ସାଂସ୍କୃତିକ ପ୍ରଚେଷ୍ଟା ଜାରି ରଖେ ମାନବସମାଜ । ପୁନଶ୍ଚ ପ୍ରାଣଘାତକ ଭୂତାଣୁ ସଂକ୍ରମଣ ଯେତେବେଳେ ମହାମାରୀ ରୂପ ନିଏ ସେତେବେଳେ କାୟା ବିସ୍ତାର କରିଚାଲେ ସାଙ୍ଗରେ କିଛି ପ୍ରତୁ୍ୟତ୍ତର ଘେନି । ସେଇ ପ୍ରତୁ୍ୟତ୍ତର ବିଶ୍ୱ ସ୍ତରୀୟ ଓ ପ୍ରଶାସନିକ ହୋଇପାରେ କିମ୍ବା ହୋଇପାରେ ସ୍ୱାସ୍ଥ୍ୟଗତ ଆଉ ସାଂସ୍କୃିତିକ । କରୋନା ଭାଇରସ ପାଦ ଥାପିବା ଆଗରୁ ଅନେକ ପ୍ରକାର ସାଂସ୍କୃତିକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଆମ ଭାରତୀୟ ସମାଜରେ ।
ଏବେକା ଡିଜିଟାଲ ଯୁଗରେ ଲାଇଭ୍ ଅହର୍ନିଶ ପ୍ରଦର୍ଶିତ ହେଉଛି ଫେସବୁକରେ । ନାନା ପ୍ରକାର ଚାଂଚଲ୍ୟକର ଖବର ପ୍ରାସରଣ ବ୍ୟତୀତ ରୋଚକପୂର୍ଣ୍ଣ ଦୃଶ୍ୟ ବି ପ୍ରଦର୍ଶିତ ହେଉଛି ଭିଡିଓ ଜରିଆରେ । କରୋନା ମହାମାରୀକୁ ନେଇ ପ୍ରତିକ୍ରିୟାସ୍ୱରୂପ ଲୋକଗୀତର ଭିଡିଓ ,କବିତା ଘୂରିବଲୁଛି ସୋସିଆଲ ସାଇଟସ୍ ଓ ସାଇବର ସ୍ପେସ୍ରେ । ବର୍ତ୍ତମାନ ସମାଜରେ ଲକଡାଉନ ବା ତାଲାବନ୍ଦ ଜାରି ରହିଥିବାବେଳେ ବିକଳ୍ପ ସ୍ଥାନ ଅକ୍ତିଆର କରି ସାଇବର ସ୍ପେସ୍ ଉଭା ହୋଇଛି ସାଂସ୍କୃତିକ ଓ ଅଭିବ୍ୟକ୍ତି କ୍ଷେତ୍ରରେ ।
ପ୍ରେକ୍ଷା ପଟର ବିପରୀତ ଦିଗକୁ ଦେଖିଲେ ଲୋକମାନେ ହନୁମାନ ଚାଳିଶା ଓ ନାନା ପ୍ରକାର ଭକ୍ତି ସଙ୍ଗୀତ ରଚନା କରି ସୋସିଆଲ ସାଇଟସ୍ରେ ଛାଡି ଦେଉଛନ୍ତି କରୋନା ପ୍ରକୋପରୁ ନିସ୍ତାର ପାଇବା ପାଇଁ । ମଜା ଲାଗେ ସିନା ଦେଖିବାକୁ ମାତ୍ର ଆଶ୍ଚର୍ଯ୍ୟ ଲାଗେ ଏଇଥିପାଇଁ ଯେ ମନ୍ଦିର ରାସ୍ତାର ଠାଏ ଠାଏ ଲୋକେ ଦେବଦେବୀଙ୍କ ଚିତ୍ର ସହିତ ବୋର୍ଡ ଲଗେଇ ଲେଖିଥାନ୍ତି କରୋନା ଝଡା ଫୁଙ୍କା ପାଇଁ ଦଶ ଟଙ୍କା ଏଇଠି ପକାନ୍ତୁ ବୋଲି । ଆମେ ଯଦି ଅତୀତର ମହାମାରୀ ପ୍ରଭାବିତ ସାଂସ୍କୃତିକ କ୍ଷେତ୍ର ଉପରେ ଦୃକପାକ କରିବା ତେବେ ଯଥେଷ୍ଟ ରୋଚକ ପୂର୍ଣ୍ଣ ଖବର ପାଇ ପାରିବା ।
ସଂସ୍କୃତି ଇତିହାସ ବିଷାରଦଙ୍କ କହିବା କଥା ହେଲା- ମାନବ ଇତିହାସର ଦୁଃଖଦ ମୁହୂର୍ତ୍ତରେ ଲୋକମାନେ ନିଜର ସାଂସ୍କୃତିକ ଆଭିମୁଖ୍ୟକୁ ଆପଣାଇ ତାରି ବଳରେ ଅନ୍ତର୍ନିହିତ ଆତ୍ମ ବିଶ୍ୱାସ ବିକଶିତ କରିବା ସହିତ ସୁସ୍ଥ ରହିବାକୁ ଇଛା ପ୍ରକଟ କରିଥାନ୍ତି । ସେହି ପ୍ରକ୍ରିୟାରେ ଲୋକେ ମହା ମାରୀ ସଂକ୍ରାନ୍ତ ବର୍ଣ୍ଣନା ସହିତ ଯୋଡି ହୋଇଥିବା ଅନେକ ଦେବା ଦେବୀଙ୍କୁ ଅନ୍ୱେଷା କରିଥାନ୍ତି । ଏଥିସହିତ ସ୍ୱାସ୍ଥ୍ୟଗତ ଉପଚାର ସହିତ ସାଂସ୍କୃତିକ ଉପଚାର , ଓଷଧ ପଥି ଓ ପ୍ରାର୍ଥନା ପାଇଁ ବି ପକ୍କା ବ୍ୟବସ୍ଥା କରିଥାନ୍ତି ।
ଉଲ୍ଲେଖନୀୟ ଯେ,୧୫୨୦ରେ ଯେତେବେଳେ ସାରା ବିଶ୍ୱରେ ମିଳିମିଳା ବସନ୍ତ ମହାମାରୀ ବ୍ୟାପିଗଲା ସେତେବେଳେ କାବୁ କରିନେଲା ସମଗ୍ର ଭାରତବର୍ଷକୁ । ସେ ସମୟରେ ଭାରତୀୟ ସମାଜରେ ବିଶେଷକରି ଉତ୍ତର ଭାରତ ଓ ପଶ୍ଚିମ ବଙ୍ଗରେ ଲୋକମାନେ ଆସ୍ଥାପ୍ରକଟପୂର୍ବକ ମାତା ଶୀତଳା ଦେବୀଙ୍କୁ ପୂଜାଚ୍ଚର୍୍ନା କରିବାକୁ ଲାଗିଲେ । ସେମିତି ଉତ୍ତରପ୍ରଦେଶର ଅନେକ ସ୍ଥାନରେ ଘଂଚ ନିମ୍ବଗଛ ନିକଟରେ ଶୀତଳା ଦେବୀ ମିଳିଯି୍ବେ ବୋଲି ଲୋକଙ୍କ ମନରେ ଅତୁଟ ବିଶ୍ୱାସ ସୃଷ୍ଟି କରାଗଲା ।
ସେ କାଳରେ ମଧ୍ୟ ଦକ୍ଷିଣ ଭାରତୀୟ ସମାଜରେ ମିଳିମିଳା୍ ବା ସ୍ମଲ ପକସ୍ ପ୍ରତିରୋଧ ପାଇଁ ପୂଜାର୍ଚ୍ଚନା କରାଯାଉଥିଲା ମରିୟାମା ଦେବୀଙ୍କୁ । ଖାସ୍କରି ଦେବୀଙ୍କ ପାଇଁ ଅନେକ ସୁଦୃଶ୍ୟ ମନ୍ଦିର ବି ତୋଳା ହୋଇଥିଲା । ପୁଣି ବହୁ ଲୋକଗୀତ ରଚନା ସହିତ କର୍ମକାଣ୍ଡର ବିଧିବିଧାନ ସୃଷ୍ଟି ହୋଇଥିଲା । ଦୈହିକ ତାପ ହରଣ ଓ ଶୀତଳତା ପ୍ରଦାନ ହେତୁ ମାତା ରୂପେ ଉପାସନା କରାଯାଏ ଶୀତଳା ଠାକୁରାଣୀଙ୍କୁ ।
ପ୍ଲେଗ ମହାମାରୀ କ୍ଷେତ୍ରରେ ବି ଠିକ ସେଇ କଥା ଦେଖିବାକୁ ମିଳିଥିଲା ।
ପଶ୍ଚିମ ବଙ୍ଗରେ ୍ପ୍ଲେଗ ମହାମାରୀ ବ୍ୟାପିଥିଲା ୧୮୧୭ରେ । ସେଠାରେ ଏହି ମହାମାରୀର ନାମ ଦିଆଗଲା ଓଲା-ଓଥା । ପଶ୍ଛିମ ବଙ୍ଗରେ ସାଂସ୍କୃତିକ ପ୍ରତ୍ତ୍ୁତ୍ତରରେ ଓଲା ବିବି ନାମକ ଦେବୀଙ୍କର ଆବିର୍ଭାବ ହୋଇଥିଲା । ଯାହାଙ୍କୁ ପଶ୍ଚିମ ବଙ୍ଗ ସମାଜରେ ପ୍ଲେଗ ମହାମାରୀରୁ ଉଦ୍ଧାର କରୁଥିବା ଦେବୀ ବୋଲି ବିଶ୍ୱାସ କରାଯାଏ । ସେ କାଳରେ ଜଣେ ଇଂରେଜ ବ୍ୟବସାୟୀ ଓ ସୈନିକ ବି ତାଙ୍କୁ ଆରାଧନା କରୁଥିଲେ । ୧୮୨୦ରେ ଡଙ୍କନ ନାମକ ଜଣେ ଇଂରେଜ ବଣିକ ୪୦୦୦ ଟଙ୍କା ଦାନ କରିଥିଲେ ଓଲା ବିବିଙ୍କ ମନ୍ଦିର ପାଇଁ । ସେମିତି ଇରୋପର ଅନେକ ଦେଶରେ ମଧ୍ୟ ପ୍ଲେଗ ମହାମାରୀ ଲଢେଇରେ ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଲୋକେ ବିକଶିତ କରିଥିଲେ ବୈକଳ୍ପିକ ସ୍ପେସ୍ । ଏପରିକି ପୋଲାଣ୍ଡରେ ବେଶ୍ ଜଣାଶୁଣା ଏକ ସଡକ କଡରେ ଥିବା ଦେବୀଙ୍କ ଉପାସନା ସ୍ଥଳୀରେ ଲୋକମାନେ ପ୍ରାର୍ଥନା କରୁଥିଲେ ପ୍ଲେଗ ମହାମାରୀରୁ ନିଜକୁ ରକ୍ଷା କରିବା ପାଇଁ । ଏହି ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ସେପର୍ଯ୍ୟନ୍ତ ଏସବୁ ସାଂସ୍କୃତିକ ପଦ୍ଧତି ହୋଇ ରୁହେ ସେଯାକେ ବିଜ୍ଞାନ ଏବେକା ପରି ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିନଥାଏ ।
ସାଂପ୍ରତିକ ସ୍ଥିତିରେ ବିଜ୍ଞାନର ଶକ୍ତି ମଧ୍ୟ ଯଥେଷ୍ଟ ବୃଦ୍ଧିପାଇଛି । ଆଉ ୟା ଉପରେ ଆମର ରହିଛି ଅତୁଟ ବିଶ୍ୱାସ । ପୁନଶ୍ଚ ବିଜ୍ଞାନ ଯେତେବେଳେ ଶକ୍ତିଶାଳୀ ହୁଏ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ ସଂସ୍କୃତି କ୍ଷେତ୍ରରେ । ସମାଜର ନୂତନ ସାଂସ୍କୃତିକ ପ୍ରତିକ୍ରିୟାରେ କର୍ମକାଣ୍ଡର ପରିସର ଖୁବ ସୀମିତ । ଖାଲି ସେତିକି ନୁହେଁ ,ସେ କ୍ଷେତ୍ରରେ ଅନ୍ଧବିଶ୍ୱାସ ମଧ୍ୟ ଗୌଣ ସ୍ଥିତିରେ ରହେ । ସେହିପରି ସାଂସ୍କୃତିକ ଦୃଷ୍ଟିରୁ ବିପତ୍ତି ମୁହୂର୍ତ୍ତରେ ଆମର ବିଶ୍ୱାସ ସୃଷ୍ଟି କରିବାରେ ଏହା ମଧ୍ୟ ସହାୟ ହୋଇଥାଏ । ବର୍ତ୍ତମାନ ସମୟର କରୋନା ଭାଇରସ ସମ୍ମୁଖରେ ବିଜ୍ଞାନ ସିନା ବିବଶ ହୋଇଯାଇଛି ମାତ୍ର ଅଧିକାଂଶ ସମାଜରେ ବି ଜ୍ଞାନ ଆଶାର କିରଣ ସୃଷ୍ଟି କରିପାରିଛି ।