କୋଣାର୍କ : କରୋନା ଏବେ ସମଗ୍ର ବିଶ୍ବ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାକୁ ଦୃଷ୍ଟିରେ ରଖି ଏହାକୁ ଜାତୀୟ ବିପତ୍ତି ଭାବେ ଅଭିହିତ କରାଯାଇଛି ।ଭୁତାଣୁ ଦ୍ବାରା ବ୍ୟାପୁଥିବା ଏହି କରୋନା ରୋଗ ଏବେ ଗ୍ରାମାଞ୍ଚଳରେ ଏକ ପ୍ରକାର ଛୁଆଁ ରୋଗ ଭାବେ ମାନ୍ୟତା ପାଇଲାଣି ।କରୋନା ପାଇଁ ପରିବାର ହେଉକି ଗାଁ ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ନିରାପଦ ଦୁରତା ଅବଲମ୍ବନ କରୁଥିବାର ପରିଲକ୍ଷିତ ହୋଇଛି ।କରୋନା ଭୟ ଏଭଳି ଘାରିଛି କି କୌଣସି ପରିସ୍ଥିତିରେ କେହି କାହାକୁ ବିଶ୍ବାସ କରିବା ସ୍ଥିତିରେ ନଥିବା ଭଳି ମନେ ହୋଇଛି ।କରୋନା ଆତଙ୍କ ଦିନକୁ ଦିନ ଭୟର ବାତାବରଣସୃଷ୍ଟି କରିଚାଲିଛି ।
ତେବେ ଏହା ଭିତରେ କରୋନା ମୁକାବିଲା ପାଇଁ ନିଜେ ଆଗକୁ ଆସିବା ସହିତ ଗ୍ରାମାଞ୍ଚଳର ମହିଳା ମାନଙ୍କ ଦ୍ବାରା କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରି ଜଣେ ମହିଳା ସରପଂଚ ଏବେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ।କରୋନା ମୁକାବିଲା ର ସଫଳ ଯୋଦ୍ଧା ସାଜିଥିବା ସଂପୃକ୍ତ ମହିଳା ସରପଂଚ ଜଣକ ହେଉଛନ୍ତି କୋଣାର୍କ ରାମଚଣ୍ଡୀ ଥାନା ଅଧିନ ତରକୋର ପଂଚାୟତ ର ମହିଳା ସରପଞ୍ଚ କବିତା ସେନାପତି । ସରପଂଚ କବିତା ସେନାପତି ଙ୍କ ନେତୃତ୍ୱରେ ପଂଚାୟତର ୧୪ ଟି ୱାର୍ଡ଼ରେ ପରିମଳ କାର୍ଯ୍ୟ ଜୋର ଧରିଥିବାର ଦେଖାଯାଇଛି ।
ପଂଚାୟତର ବିଭିନ୍ନ ସ୍ଥାନରେ ହେଉଥିବା ସଫେଇ କାର୍ଯ୍ୟରେ ଏହି ମହିଳା ସରପଞ୍ଚ ଙ୍କ ଉପସ୍ଥିତି ଲୋକଙ୍କୁ ଉତ୍ସାହିତ କରୁଛି ।ତରକୋର ପଂଚାୟତ ର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରପଞ୍ଚ ଉଦ୍ୟମ ଜାରି ରଖିଛନ୍ତି ।ପଂଚାୟତ ର ମହିଳା ମହାସଂଘର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ମାକ୍ସ ବଣ୍ଟନ ଓ ଜନ ସଚେତନତା ସୃଷ୍ଟି ପାଇଁ ସରପଞ୍ଚ ଉଦ୍ୟମ ଜାରି ରଖିଛନ୍ତି ।ପଂଚାୟତରେ ୨୫୦ ଜଣ ପ୍ରବାସୀ ଫେରିବା ପାଇଁ ନାମ ପଂଜିକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ପ୍ରବାସୀ ଫେରି ପଂଚାୟତ ପକ୍ଷରୁ ପ୍ରସ୍ତୁତ କ୍ବାରାଣ୍ଟିନ ସେଣ୍ଟରରେ ରହିଛନ୍ତି ।ଫେରିବାକୁ ଥିବା ପ୍ରବାସୀ ମାନଙ୍କ ପାଇଁ ପଂଚାୟତ ଅଧିନ ରେ ତିନୋଟି ସ୍ଥାନରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି ।
ସରପଂଚ କବିତା ସେନାପତି କରୋନାକୁ ଭ୍ରୁକ୍ଷେପ ନକରି ନିଜେ ସମସ୍ତ କ୍ବାରାଣ୍ଟିନ ସେଣ୍ଟର ପରିଦର୍ଶନ କରି ପ୍ରବାସୀ ମାନଙ୍କ ଫେରିବା ରହିବା , ଖାଇବା ଓ ଅନ୍ୟାନ ଆନୁସଙ୍ଗିକ କାର୍ଯ୍ୟର ତଦାରଖ କରୁଛନ୍ତି ।ପଂଚାୟତର ୩୦୦ ରୁ ଅଧିକ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇଥିବା ସମୟରେ ସମସ୍ତ ରାସନକାର୍ଡ଼ ହିତାଧିକାରୀଙ୍କୁ ସହାୟତା ଓ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି ।ତରକୋର ପଂଚାୟତକୁ କରୋନା ମୁକାବିଲାରେ ଏକ ନମ୍ବର ଭାବେ ଗଢ଼ି ତୋଳିବା ପାଇଁ ସେ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଏହି ମହିଳା ସରପଞ୍ଚ କବିତା ସେନାପତି ସୂଚନା ଦେଇଛନ୍ତି ।ତାଙ୍କୁ ଏହି କାର୍ଯ୍ୟ ରେ ପଂଚାୟତ ର ସମିତି ସଭ୍ୟ କାଶୀନାଥ ନାୟକ ଓ ସ୍ବେଚ୍ଛାସେବୀ ସୁଶାନ୍ତ ଜେନା ପ୍ରମୁଖ ସହଯୋଗ ଜାରି ରଖିଛନ୍ତି ।