Odisha news

ଭୋକିଲା ମୁହଁକୁ ମିଳୁନି ଆହାର : ଫୁଟପାଥର ନିରାଶ୍ରୟଙ୍କୁ ଏବେ ଭଗବାନ ଭରସା

0

ଭଞ୍ଜନଗର : ଲକ୍ ଡାଉନ୍ରେ ମିଳୁଥିଲା  । ହେଲେ ଏବେ ଅନଲକ୍-୨ରେ ଭୋକିଲା ମୁହଁକୁ ମିଳୁନି ଆହାର । ଆଉ ଏବେ ଭଗବାନଙ୍କ ଭରସାରେ ସହରର ଫୁଟପାଥରେ ଘୁରିବୁଲୁଥିବା ନିରାଶ୍ରୟମାନେ ପଡିରହିଛନ୍ତି । ଖାଦ୍ୟ ମିଳୁନଥିବାରୁ ପାଟିରୁ ଏମାନଙ୍କ କଥାପଦେ ବି ବାହାରିପାରୁନି । କିଏ କେତେଦିନ ହେଲା ନଖାଇ ନପିଇ ସେମିତି ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ତାର ହିସାବ କାହା ପାଖରେ ନାହିଁ । କେତେବେଳେ କିଏ ଆହାର କେନ୍ଦ୍ରରୁ ବଳିପଡିଥିବା କିଛି ଖାଦ୍ୟ ଆଣି ଦେଲେ ସେତିକିରେ ଚାଲୁଛି ଏମାନଙ୍କ ଜୀବନ ନାଟିକା । ତଥାପି ଅନାହାର ଅର୍ଦ୍ଧାହାରରେ ଏବେ ବସଷ୍ଟାଣ୍ଡ ଇଲାକାରେ ପଡିରହିଛି ଅନେକ ନିରାଶ୍ରୟ । କିଛି ମାନସିକ ବିକୃତ ରୋଗୀ ରହିଥିବା ବେଳେ କିଛି ଭିକ୍ଷୁକ ଓ କିଛି ନିରାଶ୍ରୟ ଏବେ ବସଷ୍ଟାଣ୍ଡ ଇଲାକାରେ ମାଟି କାମୁଡି ପଡିରହିଛନ୍ତି ।

ମହାମାରୀ କରୋନା ଉଜାଡି ଦେଇଛି ଏବେ ସଭିଙ୍କ ଆଶାଭରସା । ଥିଲାବାଲାଙ୍କ ଠାରୁ ଆରମ୍ଭ କରି ନଥିଲା ଯାଏଁ ସଭିଏଁ ଏବେ କରୋନା ମାଡରେ ମି୍ରୟମାଣ ହୋଇପଡିଛନ୍ତି । କେବଳ ଅତ୍ୟାବା୍ୟକ ସାମଗ୍ରୀ ବିକ୍ରି କରୁଥିବା  ତେଜରାତି ଦୋକାନ ଓ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟରେ ତାଲା ଝୁଲୁଛି । ଫଳରେ ଲୋକଙ୍କ ମନରେ ଏବେ ଅଜଣା ଭୟ କରୋନାକୁ ନେଇ ଉଙ୍କି ମାରୁଛି । ଭଞ୍ଜନଗର ସହରରେ ବହୁ ସଂଖ୍ୟାରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ସମେତ କିଛି ନିରାଶ୍ରୟ, ମାନସିକ ବିକଳାଙ୍ଗ ଫୁଟପାଥରୁ ସେମାନଙ୍କ ଜୀବିକା ନିର୍ବାହ କରୁଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ଏମାନଙ୍କ ନିରୀହ ମୁହଁକୁ ଦେଖି ଅଯାଚିତଭାବେ କିଛି ଦାନ ଧର୍ମ କରୁଥିଲେ । ଆଉ ସେଥିରେ ଏମାନଙ୍କ ଦୈନିକ ଚଳଣି ଉଠିଯାଉଥିଲା । ହେଲେ ଏବେ  କରୋନା ମହାମାରୀ ଆସିବା ଦିନରୁ ସବୁକିଛି ବିଗିଡି ଯାଇଛି । ଲୋକଙ୍କ ମନରେ ପ୍ରଥମେ ପ୍ରଥମେ ଏହାକୁ ନେଇ ସେଭଳି ଭୟ ଆସୁନଥିଲା । ଏବେ ଜିଲ୍ଲାରେ ଅତିପ୍ରବଳ ମାତ୍ରାରେ କରୋନା ତାର ବିସ୍ତାର କରୁଥିବାରୁ ଲୋକଙ୍କ ମନରେ ଏବେ ଛନକା ପଶିଛି । ଆଉ ଏହାର ପ୍ରଭାବ  ବଜାର ଉପରେ ସ୍ପଷ୍ଟ ପଡିଛି । ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଯାତ୍ରୀ ପରିବହନ ସଂପୂର୍ଣ୍ଣ ଠପ୍  ହୋଇଯାଇଛି । ବଜାର ବନ୍ଦ କାରଣରୁ ସାଧାରଣ ଲୋକାମାନେ ନିହାତି ଆବଶ୍ୟକ ନଥିଲେ କେହି ଘରୁ ପଦାକୁ ବାହାରୁନାହାନ୍ତି । ଏଭଳି ସ୍ଥିତି ଯୋଗୁଁ  ବସଷ୍ଟାଣ୍ଡ ଉପରେ ନିର୍ଭର କରି ଚଳୁଥିବା ଏହି ନିରାଶ୍ରୟମାନେ ଏବେ ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଯଦି କାହାର ଦୟା ହେଲା ତେବେ ପେଟକୁ ଦାନା ଗଣ୍ଡେ ଯୋଗାଡ ହୋଇପାରୁଛି । ଏମିତିରେ ଏବେ ଓଳିଏ ଖାଇଲେ ପୁଣି ଓଳିଏ ଉପାସରେ ଦିନ କଟୁଛି । ପୂର୍ବରୁ ଲକ୍ ଡାଉନ୍ ବେଳେ ଏନଏସି ପକ୍ଷରୁ ସହରର ସମସ୍ତ ଗଳିକନ୍ଦିରେ ରହୁଥିବା ବହୁ ନିରାଶ୍ରୟ ଲୋକଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରାଯାଉଥିଲା ।

ଏଥିରେ ସ୍ଥାନୀୟ ବିଡେକା ଅନୁଷ୍ଠାନ ଓ ହେଲିଂ ହେଣ୍ଡ ଆଦି କିଛି ସ୍ୱେଛାସେବୀମାନେ ରନ୍ଧାଖାଦ୍ୟ ବ୍ୟବସ୍ଥା କରି ନିରାଶ୍ରୟଙ୍କ ମୁହଁରେ ଆହାର ବାଣ୍ଟୁଥିଲେ । ଫଳରେ ନିରାଶ୍ରୟମାନଙ୍କ ଖାଦ୍ୟ ସମସ୍ୟା ଆଦୌ ନଥିଲା । ହେଲେ ଏବେ ଅନ୍ନ ଚିନ୍ତା ନିରାଶ୍ରୟଙ୍କୁ ଘାରିଛି । ଦିନରେ ଏମାନଙ୍କ ଭାଗ୍ୟରେ କିଛି ଖାଦ୍ୟ ମିଳୁଛି । ଆଉ ରାତିରେ ଏମାନେ ପୁରା ଭୋକ ଉପାସରେ ରହୁଛନ୍ତି । ଫଳରେ ନିଶ୍ଚିତ ମୃତ୍ୟୁ ଆଶଙ୍କାରେ ଆକାଶକୁ ଅନେଇ ମାଟି କାମୁଡି ବସଷ୍ଟାଣ୍ଡ ଇଲାକାରେ ଅନେକ ନିରାଶ୍ରୟ ପଡିରହିଛନ୍ତି । ଆଉ ଏମାନଙ୍କ ଅସହାୟତା ଦେଖିଲେ ଯେକୌଣସି ସାଧାରଣ ଲୋକଟିର ହୃଦୟ କାନ୍ଦିି ଉଠିବ ନିଶ୍ଚୟ । ଏସଂପର୍କରେ ପୂର୍ବରୁ ନିରାଶ୍ରୟଙ୍କ ମୁହଁରେ ଖାଦ୍ୟ ଯୋଗାଉଥିବା ଏନଏସି କର୍ମଚାରୀ ଅଶୋକ ଦଳବେହେରା କହନ୍ତି ଲକ୍ ଡାଉନ୍ ବେଳେ ପ୍ରତିଦିନ ଶତାଧିକ ଲୋକଙ୍କୁ ଆହାର କେନ୍ଦ୍ରରୁ ଆହାର ଦିଆଯାଉଥିଲା । ସେହିପରି ବିଡେକା ଓ  ହେଲିଂ ହେଣ୍ଡ ପକ୍ଷରୁ ମଧ୍ୟ ମାଗଣା ରନ୍ଧାଖାଦ୍ୟ ଦିଆଯାଉଥିଲା । ଫଳରେ ସହର ଓ ସହରତଳି ଇଲାକାରେ ବହୁ ନିରାଶ୍ରୟ ଲୋକଙ୍କ ମୁହଁରେ ଆହାର ଯୋଗାଇ ଦିଆଯାଇପାରୁଥିଲା । ହେଲେ ଏବେ ବାହାରୁ ମିଳୁଥିବା ସହାୟତା ବନ୍ଦ  ହୋଇଯାଇଛି । ତେଣୁ ଆହାର କେନ୍ଦ୍ରରୁ କିଛି ଆହାର ଆଣି ଦିନବେଳା ବସଷ୍ଟାଣ୍ଡ ପରିସରରେ ରହୁଥିବା ନିରାଶ୍ରୟ ଓ ମାନସିକ ବିକଳାଙ୍ଗଙ୍କୁ ଦିଆଯାଉଛି । ତେବେ ରାତିରେ ଏବେ ଏହା ସମ୍ଭବ ହୋଇପାରୁନଥିବା ସେ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।

Leave A Reply