Odisha news

ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

0
ବାଲିଗୁଡା, ତା, ୨୮/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପେନାଗାବେରୀ ସ୍ଥିତ ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝୁନୁରାଣୀ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ଅନୁଷ୍ଠାନର ଗୌରବମୟ ଇତିହାସ ଓ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ରୀମାନଙ୍କୁ ଜୀବନରେ ଶୃଙ୍ଖଳିତ ହେବା ସହ ଉଚ୍ଚ ଆକାଂକ୍ଷା ରଖିବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ, ସମ୍ମାନିତ ଅତିଥି ଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କହଁର, ଅନ୍ୟାନ୍ୟ ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ବୁର୍ବିନାଯୁ ସରପଞ୍ଚ ସାଲିମା ପ୍ରଧାନ, ସମିତି ସଭ୍ୟ କାଳିଦାସ ପ୍ରଧାନ, ପାବୁରିଆ ସରପଞ୍ଚ ସଞ୍ଜୟ ନାୟକ, ସମିତି ସଭ୍ୟ ଲଳିତ ପ୍ରଧାନ ଏବଂ ଡଃ ସୁଶ୍ରୀ ରାଜଶ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ସମସ୍ୟା, ବିଶେଷ କରି ପାନୀୟ ଜଳର ସୁବିଧା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ବିଷୟରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଛାତ୍ରୀମାନଙ୍କ ସୁବିଧା ପାଇଁ ଏହି ସମସ୍ତ ଅଭାବକୁ ତୁରନ୍ତ ପୂରଣ କରାଯିବ ବୋଲି ଅତିଥି ମାନେ ପ୍ରତିଶ୍ରୁତି ଦେଇଥିଲେ।ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ସେଥିମଧ୍ୟରୁ ବିଦ୍ୟାଳୟର ମେଧାବୀ ଛାତ୍ରୀ ବିନିତା କହଁରଙ୍କୁ ଭୁବନେଶ୍ୱର ସ୍ଥିତ ‘ମନୋରମା ଜଳଧର ଫାଉଣ୍ଡେସନ’ ପକ୍ଷରୁ ୫୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବା ଵେଳେ ଆଥଲେଟିକ ଚମ୍ପିଆନ ଭାବେ ଲଳିତା ପ୍ରଧାନ ପୁରସ୍କୃତ ହୋଇଥିଲେ। ବିଦ୍ୟାଳୟର ସର୍ବୋତ୍ତମ ଛାତ୍ରୀ ଭାବେ ସାମଳିନୀ ବିନ୍ଧାଣିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ ରାଉତ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକ ମାନଙ୍କ ସହଯୋଗରେ ଏହି ଉତ୍ସବଟି ସଫଳତା ସହ ଶେଷ ହୋଇଥିଲା |
IEC 2 years
Leave A Reply