ବାଲିଗୁଡା, ତା, ୧୩/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବିଭାଗ କୁ ଏକ ବଡ଼ ସଫଳତା ମିଳିଛି l ଉପଖଣ୍ଡ ବନ ବିଭାଗ ଅଧିକାରୀ ଘନଶ୍ୟାମ ମହନ୍ତ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାରିଙ୍ଗବାଡି ରେଞ୍ଜର ବୁଡାଗୁଡା ସେକ୍ସନ ଅନ୍ତର୍ଗତ କୁର୍ତ୍ତମଗଡ ସଂରକ୍ଷିତ ଜଙ୍ଗଲ ଭିତରେ ରାତ୍ରି ପାଟ୍ରୋଲିଂ ସମୟରେ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡିବନ୍ଧ ଏବଂ ଦାରିଙ୍ଗବାଡି ରେଞ୍ଜର ବନ ବିଭାଗ କର୍ମଚାରୀ ମାନେ ମିଳିତ ଭାବରେ ୧୩ ଟି ବଡ ବଡ଼ ଶାଳ କାଠ ଗଣ୍ଡି ଲୋଡ୍ ହୋଇଥିବା ଓଡି-୦୨-ଏସ-୪୭୩୭ ନଂ. ବିଶିଷ୍ଟ ଏକ ଆଇଚର ଟ୍ରକ୍ ଏବଂ ୦୫ ଟି ବଡ଼ ବଡ଼ ଶାଳ କାଠ ଗଣ୍ଡି ଲୋଡ୍ ହୋଇଥିବା ଗୋଟିଏ ମହିନ୍ଦ୍ରା ବୋଲେରୋ ନଂ. ଓଆର-୦୨-ଏଭି-୮୮୪୭ ଥିବା ଗୋଟିଏ ଆଇଚର ଟ୍ରକ୍ ଜବତ କରାଯାଇଥିଲା। ଟ୍ରକ୍ରେ ଶାଳ କାଠ ଗଣ୍ଡି ଲୋଡ୍ କରିବା ପାଇଁ ବ୍ୟବହୃତ ଓଡି-୧୨-ଡି-୦୦୨୪ ନଂ. ବିଶିଷ୍ଟ ଏକ ଜେ ସି ବି ଲୋଡର ଗାଡ଼ି ସହ ଦୁଇଟି ମଟର ସାଇକେଲ ନଂ. ଓଡି-୧୨-ସି -୫୬୬୧ ଏବଂ ଓଡି -୧୨-ସି ୩୩୨୪ କୁ ମଧ୍ୟ ଘଟଣା ସ୍ଥଳରୁ ଜବତ କରାଯାଇଥିଲା। ଏହି ଜବରଦଖଲ ସମୟରେ ଘଟଣା ସ୍ଥଳରୁ ୪ ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତ ନୟାଗଡ ଜିଲ୍ଲା କରଡା ଶାସନ ର ଅରକ୍ଷିତ ପରିଡା, ନୟାଗଡ ଜିଲ୍ଲା ହରିହରପୁର ଗ୍ରାମର ରଞ୍ଜିତ କୁମାର ସ୍ୱାଇଁ, କନ୍ଧମାଳ ଜିଲ୍ଲା କୋଟଗଡ ଥାନା ପାରିଗଡ଼ ନିକଟସ୍ଥ ଗୁଟୁମିଲା ଗ୍ରାମର ଅଶୋକ କୁମାର ବଡ଼ସେଟ, କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ସାରକିଙ୍ଗିଆ ଗ୍ରାମର କବି ଚନ୍ଦ୍ର ବଡମାଝୀଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇ କେଶ ନଂ. ୩୫/୨୬, ୟୁ ଏସ -୨୭(୨) (ବି), ଓଡ଼ିଶା ବନ ଆଇନ ୧୯୭୨, ଓଡ଼ିଶା ବନଜାତ କାଠ ଏବଂ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରିବହନ ନିୟମ ୧୯୮୦ର ୟୁ/ଆର -୪,୧୨,୧୪ ଏବଂ ୨୧ ଅନୁଯାୟୀ ଏକ ଜଙ୍ଗଲ ମାମଲା ପଞ୍ଜିକୃତ ହୋଇଛି। ଏହି ମାମଲାରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଚାଲୁଥିବା ବିଷୟ ବାଲିଗୁଡା ଡି ଏଫ ଓ ଘନଶ୍ୟାମ ମହନ୍ତ ପ୍ରକାଶ କରିଛନ୍ତି ।
