ଭୁବନେଶ୍ୱର, ତା.୩୦/୦୮: ବିଶିଷ୍ଟ ରାଜନେତା, ପୁର୍ବତନ ମନ୍ତ୍ରୀ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ଜନଜାତି ନେତା ଶ୍ରୀ ଡମ୍ବରୁ ମାଝୀ ୮୬ ବର୍ଷ ବୟସରେ ନବରଙ୍ଗପୁରଠାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ଦୁଇଟି ବିଧାନସଭା କ୍ଷେତ୍ରରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ୧୯୬୭ ରୁ ୧୯୯୦ ମସିହା ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାବେ କାର୍ଯ୍ୟ ଦାୟୀତ୍ୱ ତୁଲାଇଥିବା ସ୍ୱର୍ଗତଃ ମାଝୀ ନବରଙ୍ଗପୁର ଅଂଚଳର ରାଜନୀତିରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ । ଜନଜାତି ସମାଜର ଉନ୍ନତି ଓ ଅଧିକାର ପାଇଁ ସ୍ୱର୍ଗତଃ ମାଝୀଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକବ୍ୟକ୍ତ କରିଛନ୍ତି ।
ସ୍ୱର୍ଗତଃ ମାଝୀଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
