Odisha news

ବାଲେଶ୍ୱର : ସୂଚନା କମିଶନରେ ସିଡ଼ିଏମ୍‍ଓଙ୍କ ଅଫିସର ଜନସୂଚନା ଅଧିକାରୀ ଦଣ୍ଡିତ

0

ବାଲେଶ୍ୱର :  ଜଣେ ଆବେଦନକାରୀଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ପ୍ରଦାନ କରିନଥିବା ଘଟଣାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ଜନସୂଚନା ଅଧିକାରୀ ଡାକ୍ତର ଗିରିଶଚନ୍ଦ୍ର ପତିଙ୍କୁ ମାନ୍ୟବର ସୂଚନା କମିଶନ ଦୋଷୀ ସାବ୍ୟସ୍ତ କରି ୨୫ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଜରିମାନା ବାବଦ ଅର୍ଥ ରାୟ କବି ପାଇବାର ୧ମାସ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଯଦି ଜନସୂଚନା ଅଧିକାରୀ ଜରିମାନା ବାବଦ ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରନ୍ତି ତେବେ ଆସନ୍ତା ଅଗଷ୍ଟ ଓ ସେପେଫମ୍ବର ମାସରେ ଡାକ୍ତର ପତି ପାଇବାକୁ ଥିବା ଦରମାରୁ କଟାଯିବ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ବାଲେଶ୍ୱର ସହରର ପ୍ରଗତି ନଗର, ପଢୁଁଆପଦା ଅଞ୍ଚଳର ବାସିନ୍ଦା ତଥା ସାମାଜିକ କର୍ମୀ ଅନ୍ତର୍ଯ୍ୟାମୀ ପ୍ରଧାନ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଏକ ଆବେଦନ ପତ୍ର ପଠାଇ ସୂଚନା ଅଧିକାର ଆଇନ-୨୦୦୫ ବଳରେ କେତେକ ସୂଚନା ମାଗିଥିଲେ ।

ସେଠାରେ ଥିବା ଜନସୂଚନା ଅଧିକାରୀ ଡାକ୍ତର ଗିରିଶ ଚନ୍ଦ୍ର ପତି ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ପ୍ରଦାନ ନକରିବାରୁ ଆବେଦନକାରୀ ଶ୍ରୀ ପ୍ରଧାନ ସୂଚନା ଅଧିକାର ଆଇନ ଅନୁଯାୟୀ ସେହି କାର୍ଯ୍ୟାଳୟରେ ଥିବା ପ୍ରଥମ ଅପିଲ ଅଧିକାରୀ ତଥା ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ପ୍ରଥମ ଅପିଲ ଆବେଦନ ପତ୍ର ଦାଖଲ କରିଥିଲେ । ମାତ୍ର ପ୍ରଥମ ଅପିଲ ଅଧିକାରୀ ମଧ୍ୟ ଏବାବଦରେ କୌଣସି ପଦକ୍ଷେପ ନନେବାରୁ ଆବେଦନକାରୀ ଶ୍ରୀ ପ୍ରଧାନ ଏବାବଦରେ ଭୂବନେଶ୍ୱରସ୍ଥିତ ସୂଚନା କମିଶନରଙ୍କ ନିକଟରେ ଦ୍ୱିତୀୟ ଅପିଲ କରିଥିଲେ । ମାନ୍ୟବର କମିଶନର ଏହି ଅପିଲକୁ ସେକେଣ୍ଡ ଅପିଲ କେସ୍‍ ନଂ-୨୪୮୧/୨୦୧୬ ମୂଳେ ଗ୍ରହଣ କରି ବିଚାର କରିଥିଲେ । ମାନ୍ୟବର ବିଚାରପତି ଶ୍ରୀ ବିକେ ମହାପାତ୍ର ଏହି ମାମଲାର ବିଚାର କରି ସୂଚନା ପ୍ରଦାନ କରିନଥିବା ଜନସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ଏବେ ବାଲେଶ୍ୱର ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply