Odisha news

ବାରିପଦା ତହସିଲଦାରଙ୍କ ଅତର୍କୀତ ଚଢଉ : ମୂଲ୍ୟବାନ ସରକାରୀ ଜମିକୁ ହଡପ , ବେଆଇନ ଗୃହନିର୍ମାଣ ଓ ବୋରୱେଲ ଜବତ

0

ବାରିପଦା : ବାରିପଦା ତହସିଲ ଅନ୍ତର୍ଗତ ଶିବପ୍ରିୟା ପାର୍କ ନିକଟସ୍ଥ ୱାର୍ଡ ନମ୍ବର ୨୫ ଅଞ୍ଚଳର ଏକ ମୂଲ୍ୟବାନ ସରକାରୀ ଜମିକୁ ହଡପ କରି ସେହି ଜମିରେ ବେଆଇନ ଗୃହନିର୍ମାଣ କରାଯାଉଥିବା ବେଳେ ବାରିପଦା ତହସିଲଦାରଙ୍କ ପକ୍ଷରୁ ଅତର୍କୀତ ଚଢଉ କରାଯାଇ ଏହି ଜମିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଏକ ବୋରୱେଲ ଜବତ କରାଯାଇଥିଲା । ଘଟଣାରୁ ପ୍ରକାଶ ଯେ, ଉକ୍ତ ଅଞ୍ଚଳର ଉତ୍ପଳେନ୍ଦୁ ମହାପାତ୍ର ଏହି ମୂଲ୍ୟବାନ ଏକଏକର ସରକାରୀ ଜମିରେ ବେଆଇନ ଭାବରେ ଗୃହନିର୍ମାଣ କାର୍ଯ୍ୟ ଜାରି ରଖିଥିବାବେଳେ ବାରିପଦା ତହସିଲାଦାର ରାମଚନ୍ଦ୍ର ସୋରେନ୍ଙ୍କ ନେତୃତ୍ୱରେ ଶନିବାର ଏକଟିମ୍ ଚଢଉ କରି ଏହି ଜମିକୁ ସରକାରୀ ନିୟନ୍ତ୍ରଣକୁ ଆଣିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ସହ ଏଠାରେ ନିର୍ମାଣ କରାଯାଉଥିବା ଏକ ବୋରୱେଲକୁ ମଧ୍ୟ ଜବତ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଏହି ସରକାରୀ ଜମିରେ ବାରିପଦା ପୌରପରିଷଦ ପକ୍ଷରୁ ଉନ୍ନୟନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜାଗା ଚିହ୍ନଟ ହୋଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ବାରିପଦା ତହସିଲଦାର ଶ୍ରୀସୋରେନଙ୍କ ନେତୃତ୍ୱରେ ଆରଆଇ ତନ୍ମୟ କୁମାର ସାହୁ ଓ ଲକ୍ଷ୍ମୀପୋଷୀ ଫାଣ୍ଡି ଅଧିକାରୀ ପିସି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply