ବ୍ରହ୍ମପୁର, ୮/୧୧ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଜଜ୍ ଗଣେଶ୍ବର ପତି ଅଭିଯୁକ୍ତକୁ ୧୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଶେରଗଡ଼ ଥାନା ଅଞ୍ଚଳର ନବରତ୍ନ ପ୍ରଧାନ(୪୦) । ଏହା ସହିତ ଅଭିଯୁକ୍ତଙ୍କୁ ୮୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ରହିଛି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ୮ ମାସ ଜେଲଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶ ହୋଇଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟଯେ, ୨୦୧୬ ସେପ୍ଟେମ୍ବର ୩୦ରେ ଶେରଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ହୋଇଥିଲା । ଘଟଣାର ପ୍ରାୟ ବର୍ଷେ ପରେ ନାବାଳିକାଙ୍କୁ ଉକ୍ତ ଗ୍ରାମର ଜଣେ ଯୁବକ ଅପହରଣ କରି ନେଇ ବାଂଲାରରେ ରହିଥିବା ନାବାଳିକାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ । ପରିବାର ଲୋକେ ଏ ନେଇ ଶେରଗଡ଼ ଥାନାରେ ୨୦୧୭ ସେପ୍ଟେମ୍ବର ୧୬ ତାରିଖ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ୭୧/୨୧ରେ ମାମଲା ରୁଜୁ କରିଥିଲା । ପରେ ପୁଲିସ ନାବାଳକଙ୍କୁ ବାଂଲାରରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକକୁ କାବୁ କରିଥିଲା । ପିଡିତାଙ୍କ ବୟାନ ଅନୁସାରେ ପୁଲିସ ବଳାତ୍କାର ମାମଲାରେ ନବରତ୍ନ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତଦନ୍ତ ଅଧିକାରୀ ତଥା ତତ୍କାଳୀନ ଆସିକା ଏସଡିପିଓ ସୁଭାଷ ପଣ୍ଡା କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ବୁଧବାର ଏହି ମାମଲାରେ ରାୟ ପ୍ରକାଶ ବେଳେ ଅଭିଯୁକ୍ତ ନବରତ୍ନ କୋର୍ଟରେ ହାଜର ହୋଇଥିଲେ । ଏହି ମାମଲାର ବିଚାରଣା ବେଳେ ୧୭ଜଣ ସାକ୍ଷୀଙ୍କ ବୟାନ୍କୁ ଭିତ୍ତି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବାରୁ କୋର୍ଟ ଉପରକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ ।