ଭୁବନେଶ୍ୱର : ବହୁ ଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ । ସୋମବାର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟ୍ରେ ଅର୍ଚ୍ଚନା ନାଗ, ସ୍ୱାମୀ ଖଗେଶ୍ୱର, ସହଯୋଗୀ ଜଗବନ୍ଧୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରା ନାଁ ରହିଛି । ଅନ୍ୟ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଅର୍ଚ୍ଚନାର ସେହି ବହୁ ପ୍ରଚାରିତ ଭବ୍ୟ ଅଟ୍ଟାଳିକାକୁ ଆଟାଚ୍ କରିଛି । ଏହାର
ଆନୁମାନିକ ମୂଲ୍ୟ ୩କୋଟି ୪୦ଲକ୍ଷ ବୋଲି ଦର୍ଶାଯାଇଛି । ଏହି ମହଲଟି ଅନେକ ବିବାଦର କେନ୍ଦ୍ରବିନ୍ଦୁ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ(ଇଡି) ନୋଟିସ୍ କରିଥିଲା । ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ, ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସ କରିଥିଲା ଇଡି । ଯାହାର ଶୁଣାଣି ଆସନ୍ତା ୧୩ ତାରିଖରେ କୋର୍ଟରେ ହେବ । ଅନ୍ୟ ପଟେ ସୋମବାର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଭୁବନେଶ୍ୱର ସେସନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି ।
ଏଥିରେ ଅର୍ଚ୍ଚନା,ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଚାର୍ଜସିଟରେ ରହିଛି । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ଏହା ପ୍ରାଥମିକ ଚାର୍ଜସିଟ୍ ହୋଇଥିବା ବେଳେ ତଦନ୍ତକୁ ସାର୍ବଜନୀନ କରାଯାଇଛି । ଅନ୍ୟ ପଟେ ଦ୍ୱିତୀୟ ଚାର୍ଜସିଟ୍ରେ ଇଡି କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରୁଛି ତାହା ଦେଖିବାର କଥା । ସେହିଭଳି ଝାରପଡା ଜେଲରେ ଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ଅଧିକାରୀମାନେ ମାରାଥନ ଜେରା କରିଥିଲେ । ଜେରା ସମୟରେ ଇଡି ଅନେକ ତଥ୍ୟ ପାଇଥିବା ଜଣାପଡିଛି ।