Odisha news

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଯୋଗ

0

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ : ନିକଟରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କରୋନାକୁ ନେଇ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅଭିଭାବକ ଅହେତୁକ ଭୟ ପାଇବା ସହ ପିଲାମାନଙ୍କ ରୋଗପ୍ରତିରୋଧକ ଶକ୍ତି ପାଇଁ ସେମାନଙ୍କୁ ଯୋଗ ତାଲିମ ଦେବା ପାଇଁ ଅଧିକ ଆଗ୍ରହୀ ହେଉଛନ୍ତି । ନିକଟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଜାତୀୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ମାଧ୍ୟମରେ ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଏନ୍ସିଇଆରଟି ପକ୍ଷରୁ ଯୋଗ ବିଷୟରେ ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସୁସ୍ଥ ଜୀବନଚର୍ଯ୍ୟା ସମ୍ପର୍କରେ ପ୍ରସ୍ତୁତ ହୋଇଥିବା ଏହି ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକ ଠାରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଉଦ୍ଦିଷ୍ଟ । ପିଲାଙ୍କ ପାଇଁ ଯେଉଁ ବିକଳ୍ପ ପାଠ୍ୟକ୍ରମ କ୍ୟାଲେଣ୍ଡର କରାଯାଇଛି, ସେଥିରେ ଏହା ଅନ୍ତର୍ଭୁକ୍ତ ହୋଇଛି । ୨୦୧୬ରୁ ଅନୁଷ୍ଠିତ ହେଉଥିବା ଯୋଗ ଅଲମ୍ପିଆଡ଼ ଏ ବର୍ଷ କରେନା ଯୋଗୁଁ ଆୟୋଜନ କରିବାରେ ଅସୁବିଧା ସୃଷ୍ଟି ହୋଇଛି ।

ତେଣୁ ପିଲାଙ୍କୁ ଘରେ ନିରାପଦରେ ରହି ଯୋଗ ଶିଖିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୋସିଆଲ ମିଡ଼ିଆରେ ଅନଲାଇନ ଯୋଗ କୁଇଜ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏଭଳି ପ୍ରତିଯୋଗିତା ଆୟୋଜନ କରି ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ସମ୍ପର୍କରେ ଉତ୍ସାହିତ କରିବା । ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ବଢ଼ିବ । ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ଏହାକୁ ପ୍ରୟୋଗ କରିବାର କଳା ଶିଖିବେ । ଏହି ଲକ୍ଷ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଭଳି ପ୍ରତିଯୋଗିତା ପିଲାଙ୍କ ଜୀବନଚର୍ଯ୍ୟା ଓ ଅଭ୍ୟାସକୁ ଶୃଙ୍ଖଳିତ କରିବା ସହ ସେମାନଙ୍କ ଆବେଗ ଓ ମାନସିକ ସ୍ଥିତି ନିୟନ୍ତ୍ରଣରେ ସହାୟକ ହେବ ।
ମନ୍ତ୍ରୀ ମହୋଦୟ କହିଛନ୍ତି ଯେ ସତକର୍ମ, କ୍ରିୟା, ଆସନ, ପ୍ରାଣାୟମ, ଧ୍ୟାନ, ବନ୍ଧ ଓ ମୁଦ୍ରା ଭଳି ଯୋଗର ବିଭିନ୍ନ ଅଭ୍ୟାସ ଉପରେ ଏହି କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି କୁଇଜ୍ ପ୍ରତିଯୋଗିତା ଉନ୍ମୁକ୍ତ । ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଅଲଗା ବ୍ୟବସ୍ଥା ହୋଇଛି । ସେମାନଙ୍କ ପାଇଁ ଆବଶ୍ୟକସ୍ଥଳେ ଲିଖିତ ପ୍ରଶ୍ନଗୁଡ଼ିକୁ ଅଡ଼ିଓ ବାର୍ତ୍ତାରେ ପରିଣତ କରିବାରେ ବ୍ୟବସ୍ଥା ହୋଇଛି ।

ଏହି ପ୍ରତିଯୋଗିତାରେ ଉତ୍ତରଭିତ୍ତିକ ବର୍ଗର ପ୍ରଶ୍ନ ପଡ଼ିବ । ହିନ୍ଦୀ ଓ ଇଂରାଜୀରେ ଏହା ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀ ଚାହିଁଲେ ନିଜ ଇଛା ଅନୁସାରେ ଯେକୌଣସି ଭାଷାରେ ଉତ୍ତର ଦେଇପାରିବେ । ସର୍ବାଧିକ ନମ୍ବର ରଖିଥିବା ଶହେ ଛାତ୍ରଛାତ୍ରୀଙ୍କୁ ମେରିଟ୍ ସାର୍ଟିଫିକେଟ ପ୍ରଦାନ କରାଯିବ । ଏନ୍ସିଇଆରଟି ୱେବ୍ସାଇଟ “ଦ୍ଭମରକ୍ସଗ୍ଧ.ଦ୍ଭସମ.ସଦ୍ଭ’ରେ ଏହି ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମ ଅପଲୋଡ଼ ହୋଇସାରିଛି । ଜୁନ୍ ୨୧ରୁ ଜୁଲାଇ ୨୦ ପର୍ଯ୍ୟନ୍ତ ଏକ ମାସ ଧରି ଏହି ପ୍ରତିଯୋଗିତା ଚାଲିବ ।

ପିଲାମାନଙ୍କୁ ଆମର ଭାରତୀୟ ପ୍ରାଚୀନତମ ବିଜ୍ଞାନ ଅନୁଯାୟୀ ସୂର୍ଯ୍ୟ ନମସ୍କାର ଶିଖାଇବା ଏକ ଖୁବ୍ ଭଲ ଅଭ୍ୟାସ । ତେବେ ପ୍ରଥମ କଥା ହେଉଛି ପିଲାଟିକୁ ନିର୍ଦ୍ଦିଷ୍ଟ ଖାଦ୍ୟ ଓ ବିଶ୍ରାମର ରୁଟିନ୍ ତିଆରି କରି ସକାଳୁ ଯୋଗ, ଆସନ ପାଇଁ ପ୍ରସ୍ତୁତି କରନ୍ତୁ । ଏହା ପୂର୍ବରୁ ପିଲାଟିର କୋଷ୍ଠକାଠିନ୍ୟ ଥିଲେ, ବଦ୍ହଜମ ରହୁଥିଲେ, ଶ୍ୱାସ ବା ଅନ୍ୟକୌଣସି ଆନୁବଂଶିକ ବା ସଂକ୍ରମିତ ରୋଗ ରହୁଥିଲେ, ପିଲାଟିକୁ ନିଦ ନ ହେଉଥିଲେ, ଦୁର୍ବଳ ସ୍ୱାସ୍ଥ୍ୟ ରହୁଥିଲେ, ଉଦାସୀନତା ଚିନ୍ତାଧାରା ଥିଲେ ଏହିପରି ଅନେକ କ୍ଷେତ୍ରର ପରିପାଶ୍ୱିର୍କ ସ୍ଥିତିକୁ ଗୁରୁତ୍ୱର ସହିତ ଦୃଷ୍ଟି ଦିଅନ୍ତୁ । ପିଲାଟିକୁ ପ୍ରଥମେ ଆଗେ ସୁସ୍ଥସବଳ ରଖିବା ପରେ ହିଁ ଯୋଗ ଦିଗଟିକୁ ଦୃଷ୍ଟି ଦିଅନ୍ତୁ । ଯୋଗାସନ ଶିକ୍ଷା ଦେବା ପୂର୍ବରୁ ପିଲାଟିର ସକାଳୁ ନିତ୍ୟକର୍ମ ସାରିବାର ଅଭ୍ୟାସ ରଖନ୍ତୁ । ପିଲାଟିକୁ ନିଶ୍ଚିନ୍ତ ଭାବରେ ଜଣେ ବିଧିବଦ୍ଧ ଯୋଗ ପ୍ରଶିକ୍ଷକଙ୍କ ଠାରୁ ହିଁ ଏହାକୁ ଶିକ୍ଷା ଦେବାକୁ ବ୍ୟବସ୍ଥା କରନ୍ତୁ । ପିଲାମାନଙ୍କର ପ୍ରାୟ ସକାଳୁ ବିଦ୍ୟାଳୟ ଥିବାରୁ ଘରୋଇ ପରିବେଶରେ ଶିକ୍ଷା ଦେବା କିଛି ମନ୍ଦ ନୁହେଁ ।

ତେବେ ଯୋଗ ଦ୍ୱାରା ପିଲାଟିକୁ ଖୁବ୍ କମ ଦିନ ଭିତରେ ବେଶ୍ ମଜଭୁତିଆ ଶରୀରର କରିଦେବା ପରି ଚିନ୍ତାଧାରା ରଖନ୍ତୁ ନାହିଁ । ପିଲାଟିର ଗତ ରାତ୍ରିର ବିଶ୍ରାମ, ସକାଳର ନିଦ୍ରା ତ୍ୟାଗ, ନିତ୍ୟକର୍ମ ସହ ବିଦ୍ୟାଳୟକୁ ଯିବା ସମୟକୁ ମଧ୍ୟ ଦୃଷ୍ଟିରେ ରଖନ୍ତୁ । କେତେକ ବାପାମାଆ ଜିମ୍ରେ ପିଲାଙ୍କୁ ଶରୀର ବିଜ୍ଞାନ ବା ଯୋଗ ଶିଖାଇବାକୁ ଇଚ୍ଛୁକ ଥାନ୍ତି । ଏହାକିନ୍ତୁ କିଛି ମନ୍ଦ ନୁହେଁ, କିନ୍ତୁ କଥାଟି ହେଉଛି “ଦିଅଁ ଗଢ଼ୁ ଗଢ଼ୁ, ମାଙ୍କଡ଼ ନହେଉ’ । ପିଲାଟିକୁ ଶିକ୍ଷା ଦିଅନ୍ତୁ କିନ୍ତୁ ଶିକ୍ଷା ନାଁରେ ତା କ୍ରମବିକାଶର ବାଧକ ଯେ ଆପଣଙ୍କ ଶିକ୍ଷା ନ ହେଉଛି ତାହାକୁ ଚିନ୍ତାରେ ରଖିଥାନ୍ତୁ । କିଛି ଅଭିଭାବକ ଯୋଗାସନ କରୁଥିବା ପିଲାମାନଙ୍କ ପାଇଁ ବଜାରରେ ମିଳୁଥିବା ତଥାକଥିତ ପ୍ରୋଟିନ୍ ଖାଦ୍ୟକୁ ବେଶ୍ ଗୁରୁତ୍ୱ ଦିଅନ୍ତି । ସେମାନେ ଭାବନ୍ତି ପିଲାଟି ଯୋଗ, ବ୍ୟାୟାମ କରୁଛି ମାନେ ତା’ଶରୀରକୁ ଭଲ ରକମର ପୁଷ୍ଟିକର ଖାଦ୍ୟ ଦରକାର । ଏହା କିନ୍ତୁ ନିଶ୍ଚିନ୍ତ କଥା । ପିଲାଟିକୁ ଘରୋଇ ବ୍ୟବସ୍ଥାର ପୃଷ୍ଟିକର ଖାଦ୍ୟ ଦିଅନ୍ତୁ ।

ମୁଗଗଜା ହେଉ ବା ବାଦାମ, ପଞ୍ଚବର୍ଣ୍ଣି ଛତୁଆ ହେଉ ବା ଫଳ, କ୍ଷୀର ହେଉ ବା ଅଣ୍ଡା ବା ଛୋଟମାଛ ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ପୁଷ୍ଟିକର । ଯୋଗାସନ ପରେ କିଛି ସମୟ ପିଲାମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ବି ରହିଛି । ପିଲାଟି ଯୋଗ ଅଭ୍ୟାସ ବେଳେ ଢ଼ିଲା ଓ ସୂତାବସ୍ତ୍ର ପିନ୍ଧାନ୍ତୁ । ଖୋଲା ଏବଂ ମୁକ୍ତ ପବନ ଯାଉଥିବା ସ୍ଥାନରେ ଏ ଅଭ୍ୟାସ ଶରୀର ପାଇଁ ଉପାଦେୟ । କେତେକ ବିଦ୍ୟାଳୟରେ ନିୟମିତ ଶାରୀରିକ ବିଜ୍ଞାନ ଶ୍ରେଣୀ ବି ରହିଛି ଏହା ପିଲାମାନଙ୍କ ପାଇଁ ବି ଯୋଗାଭ୍ୟାସ କ୍ଷେତ୍ର ପାଇଁ ଉପାଦେୟ । ତେବେ ପିଲାକୁ ଯୋଗାସନ କରିବା ପୂର୍ବରୁ ତାର ସ୍ୱାସ୍ଥ୍ୟର ସମସ୍ତ କ୍ଷେତ୍ରକୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ ଅଭ୍ୟାସ କରନ୍ତୁ । ନଚେତ୍ ଏହା ପିଲାମାନଙ୍କ ପାଇଁ ଘାତକ ବି ସାବ୍ୟସ୍ତ ହୋଇପାରେ । ଭାରତର ପ୍ରାଚୀନତମ ଯୋଗବିଜ୍ଞାନ ଆଜିକା ସମୟରେ ପିଲାମାନଙ୍କ ପାଇଁ ବି ନିଶ୍ଚିନ୍ତ ଭାବରେ ଉପାଦେୟ ।

Nalco
Leave A Reply