ନୂଆଦିଲ୍ଲୀ: କରୋନା ଭାଇରସକୁ ନିୟନ୍ତ୍ରଣାଧୀନ କରି ରଖିବା ପାଇଁ କେନ୍ଦ୍ର ସରକାର ଆଜି ଏକ ନୂତନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୦% କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆଜିଠାରୁ ‘ଓ୍ଵାର୍କ ଫ୍ରମ୍ ହୋମ୍’ ବା ଘରେ ରହି ଦାପ୍ତରିକ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଫଳରେ କର୍ମଚାରୀମାନେ ପଦାକୁ ନବାହାରି ନିଜ ଘରେ ସୁରକ୍ଷିତ ରହି ନିଜ କାର୍ଯ୍ୟ ସଂପାଦନ କରିପାରିବେ। କେନ୍ଦ୍ର ସରକାରଙ୍କର ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟମ ଓ କନିଷ୍ଠ (ଗ୍ରୁପ୍ ବି ଓ ସି) ର୍ୟାଙ୍କ୍ରେ ନିଯୁକ୍ତ ଥିବା ୫୦% (ପ୍ରାୟ ୪୯ ଲକ୍ଷ)ଅଧିକାରୀ ଏହି ସୁବିଧା ଲାଭ କରିପାରିବେ। ଦେଶର ସମସ୍ତ ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁହେବ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସୁଜାତା ଚର୍ତୁବେଦୀ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ଦ୍ୱାରା କର୍ମଚାରୀମାନେ ସୁରକ୍ଷିତ ରହିବା ସହ ସେମାନଙ୍କ ପରିବାରବର୍ଗ ମଧ୍ୟ ସୁରକ୍ଷିତ ରହିବେ।