Odisha news

କୋହ୍ଲ ନବଗ୍ରହ ମନ୍ଦିର ଟ୍ରଷ୍ଟ ଗଠନରେ ଅନିୟମିତତା ଅଭିଯୋଗ

0

ତିହିଡି,୨୭/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ କୋହ୍ଲ ପଞ୍ଚାୟତର ସଦର ବଜାର ଉପରେ ଥିବା ପୁରାତନ ନବଗ୍ରହ ମନ୍ଦିର ଟ୍ରଷ୍ଟ ଗଠନକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏଥିନେଇ ସ୍ଥାନୀୟ ଗ୍ରାମବାସୀ ପୂର୍ବରୁ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିଥିବା ବେଳେ ଏବେ ପୁଣିଥରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ତିହିଡି ଥାନା ଅଧିକାରୀଙ୍କ ଠାରେ ଗ୍ରାମବାସୀ ଲିଖିତ ଭାବେ ଅଭିଯୋଗ କରି ଉକ୍ତ ଟ୍ରଷ୍ଟ ଗଠନରେ ଅନିୟମିତତା ହୋଇଥିବା ଦର୍ଶାଇବା ସହ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଭିଯୋଗ ଅନୁସାରେ ପ୍ରାୟ ୫୩ ବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ନବଗ୍ରହ ମନ୍ଦିରକୁ କରାୟତ୍ତ କରିବାକୁ କିଛି ବ୍ୟକ୍ତି ନବଗ୍ରହ ଠାକୁର ସେବାସଂଘ ନାମରେ ଏକ ଏନଜିଓ ପଞ୍ଜିକୃତ କରାଇ ଦେବତ୍ତୋର ଆୟୁକ୍ତଙ୍କ ଠାରୁ ଅନୁମୋଦନ ଲାଭ କରିଛନ୍ତି । ଏହି ଟ୍ରଷ୍ଟ ଗଠନ ସମ୍ପର୍କରେ ମନ୍ଦିରର ପୂଜକ ଗଣ, ମନ୍ଦିର ପାଇଁ ଜମି ଦାନକାରୀ, ମନ୍ଦିର ନିର୍ମାଣକାରୀ ସର୍ବୋପରି ଗ୍ରାମବାସୀ ମାନେ ବିନ୍ଦୁବିସର୍ଗ ଜାଣି ନଥିବା ବେଳେ ସରକାରୀ ଭାବେ ବି ସେମାନଙ୍କୁ କୌଣସି ସୂଚନା ଦିଆଯାଇନି ବୋଲି ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଉକ୍ତ ସେବା ସଂଘ ଟ୍ରଷ୍ଟବୋର୍ଡ ଭାବେ କେମିତି ଓ କେଉଁ ଅଧିକାରୀଙ୍କ ତଦନ୍ତ ମୂଳେ ଅନୁମୋଦନ ଲାଭ କଲା ତାହା ସେମାନଙ୍କୁ ଚକିତ କରିଛି ବୋଲି ସେମାନେ ଦର୍ଶାଇଛନ୍ତି । ଏଭଳି ଟ୍ରଷ୍ଟ ଗଠନ ସେମାନଙ୍କ ଭାାବାବେଗକୁ ଗଭୀର ଆଘାତ ଦେଇଛି ବୋଲି ବରିଷ୍ଠ ସାମ୍ବାଦିକ ନିର୍ମଳ ସେନାପତି, ଆଇନଜୀବୀ ବିପ୍ଳବ ନାୟକ, ଜିତେନ୍ଦ୍ର ଗ୍ରହାଚାର୍ଯ୍ୟ, ଗୁରୁପଦ ସାହୁ, ପ୍ରଶାନ୍ତ ବଳ, କୈଳାସ ବଳ, ନିରାକାର ସେନାପତି, ସୁବୋଧ ନାୟକ ଓ ଭାଗିରଥି ଗ୍ରହାଚାର୍ଯ୍ୟ ପ୍ରମୁଖ ଗ୍ରାମବାସୀ ଦର୍ଶାଇବା ସହ ଏହାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ସଂପର୍କରେ ନବଗଠିତ ଟ୍ରଷ୍ଟର ମୁଖ୍ୟଟ୍ରଷ୍ଟି ପ୍ରଭାତ କୁମାର ରାଉଳଙ୍କୁ ପଚାରିବାରୁ, ଏହି ମନ୍ଦିରଟି ଗତ ୨୦୨୩ ମସିହାରୁ ଦେବତ୍ତୋର ବିଭାଗ ଅଧିନକୁ ଯାଇଛି ଓ ଏବେ ଯେଉଁ ଟ୍ରଷ୍ଟ ଗଠନ କରାଯାଇଛି ସେଥିରେ କୌଣସି ଅନିୟମିତତା ହୋଇ ନଥିବା ସେ ପ୍ରକାଶ କରିଛନ୍ତି ।

Leave A Reply