ତିହିଡି, ୨୧/୦୩(ଯଦୁମଣି ପାଣିଗ୍ରାହୀ)) : ପୀରହାଟ ଥାନା ଅନ୍ତର୍ଗତ ପୀରହାଟ ପୁରୁଣା ବଜାର ନିକଟରେ ଏକ ବାଇକ ସାମ୍ନାରୁ ଆସୁଥିବା ଏକ ମିନି ଟ୍ରକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ବାଇକରେ ବସିଥିବା ଅନ୍ୟ ଜଣେ ଗୁରୁତର ହୋଇ ପ୍ରଥମେ ତିହିଡି ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି । ମୃତ ବାଇକ ଆରୋହୀ ହେଉଛନ୍ତି ଖେଦରପୁର ଗାଁର ସ୍ୱର୍ଗତ ଇନ୍ଦ୍ରମଣି ଦାସଙ୍କ ପୁଅ ସନିଆ(୨୩) ଓ ଗୁରୁତର ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଚାନ୍ଦବାଲି ଥାନା ବାଲିଗାଁ ରାମପୁରର ଶ୍ରୀକାନ୍ତ ଦାସଙ୍କ ପୁଅ ପ୍ରଭାତ ଦାସ । ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ଉଭୟ ଯୁବକ ଏକ ବାଇକ (ନଂ-ଓଡି୨୨ଏଚ୮୭୯୯)ରେ ତିହିଡି ଆଡୁ ଚାନ୍ଦବାଲି ଆଡକୁ ଯାଉଥିବା ବେଳେ ପ୍ରଥମେ ସ୍ଥାନୀୟ ସନ୍ଦକପୁର ଗାଁର ଏକ ସାଇକେଲ ଆରୋହୀ ନିଶାକର ସେଠୀଙ୍କୁ ଧକ୍କା ଦେଇଥିଲେ ଓ ପରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ (ନଂ-ଓଆର ୦୧ସି ୮୦୦୪)କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସାଇକେଲ ଆରୋହୀ ନିଶାକରଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଏଥିନେଇ ପୀରହାଟ ଥାନାରେ ଏକ ମାମଲା ନଂ୬୫/୨୪ ରୁଜୁ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିବା ଜଣାଯାଇଛି ।