ତିହିଡି, ୧୦/୦୩(ଯଦୁମଣି ପାଣିଗ୍ରାହୀ): ଓଡିଶା ଆଶା କର୍ମୀ ଆସୋସିଏସନ ଓ ସିଆଇଟିୟୁ ନେତୃତ୍ୱରେ ତିହିଡି ଡାକବଙ୍ଗଳା ଠାରେ ଶ୍ରମିକ ନେତା ସାଥୀ ବିଷ୍ଣୁ ଦାଶଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଆଶା କର୍ମୀ ସମ୍ମିଳନୀ ଓ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଶାକର୍ମୀଙ୍କ ଏକ ଶୋଭାଯାତ୍ରା ଓ ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ରାଜ୍ୟ ସରକାରଙ୍କ ଆଶା କର୍ମୀଙ୍କୁ ଭଣ୍ଡାଇବା ନୀତିକୁ ବକ୍ତାମାନେ ନିନ୍ଦା କରିଥିଲେ । ମୋଦି ସରକାରଙ୍କ ବେଟି ପଢାଓ, ବେଟି ବଚାଓ ଆହ୍ୱାନ ପାଣିର ଗାର ହୋଇଥିବା ବେଳେ ମଣିପୁର ଠାରୁ ଉତ୍ତରପ୍ରଦେଶ ଯାଏଁ ମହିଳା ନିର୍ଯାତନା ତିବ୍ରତର ହୋଇଛି ବୋଲି ସଭାରେ ବକ୍ତମାନେ କହିବା ସହ ନବୀନ ସରକାରଙ୍କ ଗାଁକୁ କାମ ଓ ମା’କୁ ସମ୍ମାନ କଥା ଏକ ଧୂଆଁବାଣ ସଦୃଶ ବୋଲି ମତପ୍ରକାଶ କରିଥିଲେ । ସେହିପରି ଉଭୟ ସରକାର ମହିଳା ସଶକ୍ତିକରଣ ନାମରେ ଡିଣ୍ଡିମ ପିଟୁଥିବା ବେଳେ ଗାଁ ଗାଁରେ ମହିଳା ମାନେ ଆଜି ଋଣ ଜାଲରେ ଛନ୍ଦି ହୋଇ କଷ୍ଟ ଭୋଗୁଥିବା ବେଳେ କେହି କେହି ଆତ୍ମହତ୍ୟା କରୁଛନ୍ତି ଓ ଆଶାକର୍ମୀଙ୍କ ଭଳି ମହିଳା କର୍ମଜୀବୀ ମାନେ ଦୀର୍ଘ ଅଠର ବର୍ଷ ହେଲା ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ବେଳେ ଏଯାବତ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ନପାଇବା ଓ ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାନଯିବା ମହିଳା ସମାଜ ପ୍ରତି ଅବିଚାର ବୋଲି ବକ୍ତାମାନେ କହିବା ସହ ଆଗାମୀ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ବକ୍ତମାନେ କହିଥିଲେ । ଏହି ସଭାରେ ଆଶା କର୍ମୀ ସଂଘର ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ, ଶ୍ରମିକ ନେତା ମଳୟ ଭୋଇ ଓ ନାରାୟଣ ଚନ୍ଦ୍ର ଦାସ, ନିର୍ମଳ ଦଳାଇ, ସତ୍ୟବ୍ରତ କୁଣ୍ଡ, ଦିଲ୍ଲୀପ ନାଥ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଅନ୍ନପୂର୍ଣ୍ଣା ଦାସ, ମମତାରାଣୀ ଜେନା, ଭାରତୀ ପଣ୍ଡା, ପ୍ରମିଳା ବିଶ୍ୱାଳ, ସୁଷମା ଓଝା, ସୌଦାମିନୀ ନାୟକ, କନକଲତା ମହାଳିକ ଓ ମେନକା ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ୨୫ ଜଣିଆ ବ୍ଲକ କମିଟି ଗଠନ କରାଯାଇଥିଲା ।