ଭୁବନେଶ୍ୱର,୨୧ା୦୨: ରାଜ୍ୟରେ ଥିବା ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବାକୁ ଦାବି ହୋଇଛି । ପ୍ରକାଶ ଯେ, ଗତ ୧୯୯୦ରୁ ୨୦୦୧ ମଧ୍ୟରେ ରାଜ୍ୟରେ ହଜାର ହଜାର ଯୁବକ-ଯୁବତୀ ସିଟି ଓ ବିଇଡି ଡିଗ୍ରୀ ହାସଲ କରିଥିଲେ ମଧ୍ୟ ବିଭିନ୍ନ ସମୟରେ ସରକାରୀ ଅବହେଳାର ଶିକାର ହୋଇ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ଯେଉଁଥିପାଇଁ ଏମାନେ ଦୀର୍ଘ ୨୫ ବର୍ଷରୁ ଉଦ୍ଧ୍ୱର୍ କାଳ ଧରି ଚାକିରି ଖଣ୍ଡେ ପାଇବାକୁ ଉଦ୍ୟମ କରି ଆସିଥିଲେ ମଧ୍ୟ ସରକାର କି ପ୍ରଶାସନ ଏମାନଙ୍କ କଥା ଶୁଣି ନାହାନ୍ତି । ଏହି ଡିଗ୍ରୀଧାରୀ ମାନେ ଏକ ସଂଘ ଗଠନ କରି ବିଭିନ୍ନ ସମୟରେ ସରକାରଙ୍କ ଠାରେ ହାରିଗୁହାରୀ କରିବା ସହ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ମଧ୍ୟ ଗ୍ରହଣ କରିଛନ୍ତି । ସରକାର ପ୍ରତିଶ୍ରୁତି ଦେଇଛନ୍ତି ଓ ପରେ ଏହାକୁ ଭୁଲି ଯାଇଛନ୍ତି । ଯେଉଁଥିପାଇଁ ଏମାନେ ଆଜି ସୁଦ୍ଧା ଚାକିରିରୁ ବଞ୍ଚିତ ହୋଇ ବିଭିନ୍ନ କାମଧନ୍ଦା କରିବା ସହ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ବଡ ଦୁଃଖ କଷ୍ଟରେ ଏମାନେ ଜୀବନ ଅତିବାହିତ କରୁଛନ୍ତି । ଏମାନଙ୍କର ଚାକିରି କରିବା ବୟସ ବି ଅତିକ୍ରାନ୍ତ । ତେଣୁ ନିୟମିତ ଶିକ୍ଷକ ଭାବେ ବି ଏମାନଙ୍କୁ ଆଉ ନିଯୁକ୍ତି ଦିଆଯାଇ ପାରିବନି । ତେଣୁ ୨୦୨୩ ବର୍ଷରେ ଏମାନଙ୍କ ସଂଘ ପକ୍ଷରୁ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ଅଧିକାରୀଙ୍କ ସମେତ ରାଜ୍ୟ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ଭେଟି ସେମାନଙ୍କର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିଥିଲେ । ସରକାର ହାଇସ୍କୁଲ ମାନଙ୍କରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେଉଛନ୍ତି । ସେହି ସ୍ଥାନରେ ଏହି ପୁରୁଣା ସିଟି ଓ ବିଇଡି ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦିଆ ଯିବାର ବ୍ୟବସ୍ଥା କରାଗଲେ ସେମାନେ ଆପାତତଃ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇପାରନ୍ତେ ବୋଲି ନିବେଦନ କରିଥିଲେ । ଏମାନଙ୍କ ଦାବିକୁ ସରକାର ଗ୍ରହଣ କରି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନାକୁ ମଧ୍ୟ ନେଇଥିଲେ । ଚଳିତ ମାସ ବିଧାନସଭା ଅଧିବେଶନ ବେଳେ ବି ପୁରୁଣା ସିଟି ଓ ବିଇଡି ମହାସଂଘ ପକ୍ଷରୁ ଲୋୟର ପିଏମଜି ଠାରେ ଗଣଧାରଣା ଦିଆଯାଇଥିଲା । ସରକାର ଏମାନଙ୍କ ନିଯୁକ୍ତି କଥା ବିଚାର କରିବେ ବୋଲି ପ୍ରତିଶ୍ରୁତି ପାଇବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଇତିମଧ୍ୟରେ ପ୍ରାୟ ୧୫ ଦିନ ବିତିଗଲାଣି ଅଥଚ ଏମାନଙ୍କ ନିଯୁକ୍ତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ମହାସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଯଥାଶିଘ୍ର ସରକାର ସହୃଦୟତାର ସହ ସେମାନଙ୍କ ନିଯୁକ୍ତି ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ପୁରୁଣା ସିଟି ଓ ବିଇଡି ସଂଘର ରାଜ୍ୟ ସଭାପତି ଗୋପବନ୍ଧୁ ମୁଦୁଲି, ଉପସଭାପତି ବିଜୟ କୁମାର ମହାନ୍ତି, ସଂପାଦକ କାହ୍ନୁଚରଣ ସାହୁ, ବିନୟ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ ପତିତପାବନ ପ୍ରଧାନ, ଗଗନ ବିହାରୀ ମିଶ୍ର, ଶାନ୍ତନୁ କୁମାର ଭଞ୍ଜ, ଶରତ ମହାକୁଡ, ଯଦୁମଣି ପାଣିଗ୍ରାହୀ, ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ଠାରେ ଦାବି କରିଛନ୍ତି ।